ପିଲାଏ ବୋହିଲେ ମାଟ୍ରିକ୍ ପ୍ରଶ୍ନପତ୍ର
ସମ୍ବଲପୁର (ଓଟି): ପିଲାଏ ପରୀକ୍ଷା ଦେବେ- ପିଲାଙ୍କ ପାଇଁ ପ୍ରଶ୍ନପତ୍ର- ପେଟି ଉଠାଇବ କିଏ! ସେଇ ପିଲାମାନେ ହିଁ ବୋହିବେ… ଏକଥା ଆମେ କହୁନୁ। ଦୃଶ୍ୟ ଦେଖିଲେ ଯେକେହି ବୁଝିପାରିବେ। ଆଉକିଛି ଦିନ ପରେ ଆରମ୍ଭ ହୋଇଯିବ ମାଟ୍ରିକ୍ ପରୀକ୍ଷା। ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଇତିମଧ୍ୟରେ ସ୍କୁଲ/କେନ୍ଦ୍ର/ନୋଡାଲ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ପହଞ୍ଚାଇବା କାର୍ଯ୍ୟ ଚାଲିଛି। କିନ୍ତୁ ପ୍ରଶ୍ନପତ୍ର ପହଞ୍ଚିବା ପରେ ସେସବୁକୁ ପିଲାଏ ହିଁ ବୋହିବାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେଭଳି ଦୃଶ୍ୟ ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।
ନୂଆପଡ଼ା ଜିଲ୍ଲା ମୁଖ୍ୟ ବିଦ୍ୟାଳୟ ନ୍ୟାସନାଲ ହାଇସ୍କୁଲରେ ବୁଧବାର ଏକ ଟ୍ରକରେ ମାଟ୍ରିକ ପ୍ରଶ୍ନପତ୍ର ପହଞ୍ଚିଥିଲା। ତେବେ ସେସବୁକୁ ଛାତ୍ରଛାତ୍ରୀ ବୋହିଲେ। ଶିକ୍ଷକଙ୍କ ଉପସ୍ଥିତରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ରକୁ ବୋହିନେଇ ଏକ କୋଠରିରେ ରଖୁଥିଲେ। ଏନେଇ ଶିକ୍ଷା ଅଧିକାରୀ ବୁଝିବେ ବୋଲି କହିଥିବାବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଏଇ ତିନିଦିନ ତଳେ ରାଜଖରିଆର ଗସ୍ତ କରିଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ପରିଦର୍ଶନ କାଳରେ ମନ୍ତ୍ରୀ ଶ୍ରୀ ଦାଶ ରାଜଖରିଆର ଉତ୍କଳ ଗୋପବନ୍ଧୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଉପସ୍ଥିତ ଥିଲେ ବିଧାୟକ ଓ ଅନ୍ୟ ପ୍ରମୁଖ ଅଧିକାରୀବୃନ୍ଦ। ଏପରିକି ଜିଲ୍ଲା ଶିକ୍ଷା ଅଧିକାର ଲକ୍ଷ୍ମଣ ଭୋଇଙ୍କୁ ମନ୍ତ୍ରୀ ତାଗିଦ କରିଯାଇଥିଲେ। ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ କୌଣସି ସମସ୍ୟା ନହେବା ପ୍ରତି କଡ଼ା ଦୃଷ୍ଟି ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ତେବେ ପିଲାଏ ପ୍ରଶ୍ନପତ୍ର ବୋହିବାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।











