ନବୀନ ଧନୀ, ଗରିବ ତୁଷାରକାନ୍ତି

ଭୁବନେଶ୍ୱର(ଓଟି): କ୍ରମାଗତ ପଞ୍ଚମ ପାଳି ସରକାର ଚଳାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ। ସବୁଠାରୁ କହିଲେ ନିଜ ମନ୍ତ୍ରୀମଣ୍ଡଳରେ ସମସ୍ତଙ୍କଠାରୁ ସେ ଅଧିକ ସମ୍ପତ୍ତିର ଅଧିକାରୀ। ସେହିପରି କ୍ରୀଡ଼ା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ସବୁଠୁ ଗରିବ। ଗରିବ କହିଲେ ସମସ୍ତଙ୍କ ଅପେକ୍ଷା କମ୍‌ ସମ୍ପତ୍ତିର ଅଧିକାରୀ ଥିବା ମନ୍ତ୍ରୀ। ତେବେ ଏ କଥା ଆମେ କହୁନାହୁଁ, ୨୦୧୮-୧୯ ଆର୍ଥିକ ବର୍ଷର ତଥ୍ୟରୁ ଏହା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ଓ କ୍ରୀଡ଼ାମନ୍ତ୍ରୀ ତୁଷାରଙ୍କ ସମେତ ସମସ୍ତଙ୍କ ସମ୍ପତ୍ତି ସମ୍ପର୍କରେ ତଥ୍ୟ ସାର୍ବଜନୀନ ହୋଇଛି।

ରିପୋର୍ଟରେ କଣ ରହିଛି ତଥ୍ୟ?

୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୪୯.୨୪ କୋଟି ରହିଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୬୩.୬୪ କୋଟିରେ ପହଞ୍ଚିଥିଲା। ସେ ମଧ୍ୟରେ ୨ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଥିବା କୁହାଯାଇଛି। ଏଥିସହ ୧୯୮୦ର ଏକ ଆମ୍ବାସାଡର ସମେତ ୪୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ରହିଛି। ଏପରିକି ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ମୁଖ୍ୟମନ୍ତ୍ରୀ ପରିଶୋଧ କରିନାହାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିକଟରେ ୨୫.୬୦ ଲକ୍ଷର ସମ୍ପତ୍ତି ରହିଛି। ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ୪୮୦୦ ବର୍ଗଫୁଟର ଏକ ଜମି, ୫ଲକ୍ଷର ଏକ କାର୍ ଓ ୯୦ ଗ୍ରାମ ସୁନା ରହିଥିବା ଜଣାପଡ଼ିଛି।

ଅନୁରୂପ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ ପ୍ରାୟ ୧୦ କୋଟିର ସମ୍ପତ୍ତି ରହିଛି। ମନ୍ତ୍ରୀଙ୍କ ୧୮୦ ଗ୍ରାମ ସୁନା ସମେତ ତାଙ୍କ ପତ୍ନୀଙ୍କ ପାଖରେ ୬ଶହ ଗ୍ରାମ ସୁନା ଓ ୨କିଲୋ ରୁପା ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଖରେ ୧୩.୩୧ ଲକ୍ଷ ଟଙ୍କା, ପତ୍ନୀ ମୀନତି ଦାସଙ୍କ ନିକଟରେ ୧୪.୮୦ ଲକ୍ଷ, ପୁଅ ବିଶାଲଙ୍କ ପାଖରେ ୩ଲକ୍ଷ ଓ ଝିଅ ଦୀପାଳିଙ୍କ ପାଖରେ ୨.୦୭ ଲକ୍ଷ ଟଙ୍କା ଥିବାବେଳେ ସମ୍ପତ୍ତି ପ୍ରାୟ ୩୨ ଲକ୍ଷ ଟଙ୍କାର ରହିଛି। ତାସହ ପ୍ରାୟ କୋଟିଏ ଟଙ୍କା ବ୍ୟାଙ୍କ ଜମା ଓ ୨ କୋଟିରୁ ଅଧିକ ସ୍ଥାୟୀ ଜମା ରହିଥିବା ଦର୍ଶାଯାଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା କୁହାଯାଇଥିବା ବେଳେ ମନ୍ତ୍ରୀଙ୍କଠାରୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ବୋଲି ତଥ୍ୟରେ ସ୍ପଷ୍ଟ ହୋଇଛି। ତାଙ୍କ ୨ ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ଥିବାବେଳେ ଅରୁଣଙ୍କ ପତ୍ନୀ ୮.୧୬ ଲକ୍ଷ ଟଙ୍କାର ଋଣଭାରରେ ଥିବା ଉଲ୍ଲେଖ ରହିଛି। ତେବେ ୪୫୦ ଗ୍ରାମ ସୁନା ଓ ୨ଟି କାର୍ ସେମାନଙ୍କର ରହିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨ କୋଟି। ଭୁବନେଶ୍ୱରରେ ୨ଟି ଅଟ୍ଟାଳିକା, ୪ଟି କାର୍‌, ଟିଟିଲାଗଡ଼ରେ ୨ ମହଲା କୋଠା, ପ୍ରାୟ ୬ ଏକର ଜମି ସମେତ ୨୫୦ ଗ୍ରାମ ସୁନା ଓ ଦେଢ଼କେଜି ରୁପା ରହିଛି। ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ୪୨ ଲକ୍ଷ ବୋଲି ଉଲ୍ଲେଖ ଥିବାବେଳେ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ୩୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଥିବା ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *