ସଶକ୍ତ ଓଏନ୍ଜିସି, ଦୁର୍ବଳ ବିଏସ୍ଏନ୍ଏଲ୍
ନୂଆଦିଲ୍ଲୀ(ଓଟି): ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ବ୍ୟବସାୟିକ ସଫଳତା ସମ୍ପର୍କରେ ସମୀକ୍ଷା କରାଯାଇଛି। ଉକ୍ତ ୨୦୧୮-୧୯ ଆର୍ଥିକ ବର୍ଷରେ ଓଏନ୍ଜିସି, ଭାରତୀୟ ତୈଳ ନିଗମ(ଆଇଓସି) ଏବଂ ଏନ୍ଟିପିସି ଭଳି ଉଦ୍ୟୋଗ ସର୍ବାଧିକ ଲାଭକରୀ ସଂସ୍ଥା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ହେଲେ ଏହି ବର୍ଷରେ ଭାରତୀୟ ଦୂର ସଞ୍ଚାର ନିଗମ ଲିଃ(ବିଏସ୍ଏନ୍ଏଲ୍), ମହାନଗର ଟେଲିଫୋନ୍ ନିଗମ ଲିଃ(ଏମ୍ଟିଏନ୍ଏଲ) ଏବଂ ଏୟାର ଇଣ୍ଡିଆ ଭଳି ଉଦ୍ୟୋଗ ସର୍ବାଧିକ କ୍ଷତି ସହିଛନ୍ତି। ଏ ସମ୍ପର୍କରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାନ ହୋଇଯାଇଛି।
୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ବାର୍ଷିକ ଫଳାଫଳକୁ ନେଇ ସାଧାରଣ ଉଦ୍ୟୋଗ ସର୍ଭେ କରାଯାଇଥିଲା ବେଳେ ବିଏସ୍ଏନ୍ଏଲ, ଏମ୍ଟିଏନ୍ଏଲ ଏବଂ ଏୟାର ଇଣ୍ଡିଆ କ୍ରମାଗତ ୩ ବର୍ଷ ଧରି କ୍ଷତି କରିଆସୁଥିବା ଜଣାପଡ଼ିଛି । ତେବେ ଏହି ବର୍ଷରେ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ମୋଟ ଯେତିକି ଲାଭ କରିଛନ୍ତି ସେଥିମଧ୍ୟରେ ଓଏନ୍ଜିସି, ଆଇଓସି ଏବଂ ଏନ୍ଟିପିସିର ଲାଭାଂଶ ଯଥାକ୍ରମେ ୧୫.୩ ପ୍ରତିଶତ, ୯.୬୮ ପ୍ରତିଶତ ଏବଂ ୬.୭୩ ପ୍ରତିଶତ ରହିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତୀୟ ଷ୍ଟେଟ୍ ଟ୍ରେଡିଂ କର୍ପୋରେସନ୍, ଏମ୍ଏସ୍ଟିସି ଏବଂ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଭଳି ଉଦ୍ୟୋଗ ଲାଭ କରିଥିବା ବେଳେ ୨୦୧୮-୧୯ରେ କ୍ଷତି ସହିବା ସହିତ ୧୦ଟି କ୍ଷତିକରୀ ସଂସ୍ଥାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବୋଲି କୁହାଯାଇଛି। ୨୦୧୭-୧୮ ବର୍ଷରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ମୋଟ ଆୟ ୨୦,୩୨,୦୦୧ କୋଟି ଟଙ୍କା ରହିଥିଲା ବେଳେ ୨୦୧୮-୧୯ରେ ଏହି ପରିମାଣ ୨୪,୪୦,୭୪୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହପରି ୨୦୧୭-୧୮ ବର୍ଷରେ ଉଦ୍ୟୋଗଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କ ତହବିଲକୁ ଅବକାରୀ ଶୁଳ୍କ, ବହିଃଶୁଳ୍କ, ଜିଏସ୍ଟି, କର୍ପୋରେଟ୍ ଟିକସ, ସରକାରୀ ଋଣ ବାବଦ ସୁଧ ଏବଂ ଲାଭାଂଶ ବାବଦରେ ମୋଟ ୩,୫୨,୩୬୧ କୋଟି ଟଙ୍କା ଦିଆଯାଇଥିଲା ବେଳେ ୨୦୧୮-୧୯ ବର୍ଷରେ ଏହି ପରିମାଣ ୪.୬୭ ପ୍ରତିଶତ ବୃଦ୍ଧିରେ ୩,୫୨,୩୬୧ କୋଟି ଟଙ୍କା ରହିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାଧାରଣ ଉଦ୍ୟୋଗ ବିଭାଗ, ବୃହତ ଶିଳ୍ପ ବିଭାଗ ପକ୍ଷରୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରର ଫଳାଫଳକୁ ନେଇ ଏହି ସର୍ଭେ କରାଯାଇଥାଏ। ଏହି ସର୍ଭେ ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ୩୪୮ ରହିଥିଲା ବେଳେ ଏଥିମଧ୍ୟରୁ ୨୪୯ଟି ଉଦ୍ୟୋଗ ବ୍ୟବସାୟ ପରିଚାଳନା କରିଥିଲେ । ବାକି ୮୬ଟି ଉଦ୍ୟୋଗ ମଧ୍ୟରୁ କେତେକ ନିର୍ମାଣାଧିନ ରହିଥିବା ବେଳେ ଆଉ କେତେକ ଉଦ୍ୟୋଗକୁ ବନ୍ଦ କରି ଦିଆଯାଇଥିବା କୁହାଯାଇଛି।











