ଏଫ୍ପିଆଇ ନିବେଶ ୫୧୭୭ କୋଟି
ମୁମ୍ବାଇ(ଓଟି): ଫେବୃଆରୀ ମାସର ବର୍ତ୍ତମାନ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ(ଏଫପିଆଇ)ଙ୍କ ଦ୍ୱାରା ବିଭିନ୍ନ ଷ୍ଟକ୍ରେ ବିପୁଳ ପରିମାଣର ନିବେଶ ଯୋଗୁଁ ଭାରତୀୟ ଷ୍ଟକ୍ ବଜାର ଉତ୍ସାହିତ ରହିବା ସହିତ ବିଭିନ୍ନ କମ୍ପାନୀଙ୍କ ବଜାର ପୁଞ୍ଜି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଡିପୋଜିଟୋରି ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ନିବେଶକାରୀଙ୍କ ଦ୍ୱାରା ସର୍ବାଧିକ ଭାବେ ୫୧୭୭ କୋଟି ଟଙ୍କା କେବଳ ଡେଟ୍ କ୍ଷେଥ୍ରରେ ନିବେଶ କରାଯାଇଛି। ଫେବୃଆରୀ ୩ ତାରିଖରୁ ୭ ତାରିଖ ମଧ୍ୟରେ ଏଫ୍ପିଓଙ୍କ ଦ୍ୱାରା ମୋଟ ୬୩୫୦ କୋଟି ଟଙ୍କା ନିବେଶ କରାଯାଇଥିଲା ବେଳେ ଏହି ସମୟ ମଧ୍ୟରେ ଇକ୍ୱିଟି କ୍ଷେତ୍ରରୁ ୧୧୭୨.୫୬ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଥିଲା। ଫଳରେ ଏହି ସମୟରେ ମୋଟ୍ ୫୧୭୭.୪୪ କୋଟି ଟଙ୍କା ନିବେଶ କରାଯାଇଥିବା କୁହାଯାଇଛି ।
୮ କମ୍ପାନୀର ବଜାରପୁଞ୍ଜିରେ ବୃଦ୍ଧି
ବିଗତ କିଛିଦିନ ଧରି ଉତ୍ସାହିତ ରହି ଆସିଥିବା ଭାରତୀୟ ଷ୍ଟକ୍ ବଜାରର କାରବାରକୁ ନେଇ ଗତ ସପ୍ତାହରେ ଦେଶର ପ୍ରମୁଖ ୧୦ କମ୍ପାନୀଙ୍କ ମଧ୍ୟରୁ ୮ଟି କମ୍ପାନୀର ବଜାର ପୁଞ୍ଜି ସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ୮ କମ୍ପାନୀର ମୋଟ ବଜାର ପୁଞ୍ଜିରେ ଅନ୍ୟୂନ ୧,୫୭,୨୭୦.୮ କୋଟି ଟଙ୍କା ବୃଦ୍ଧି ଘଟିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠାରୁ ଲାଭବାନ ହୋଇଥିବା ଜଣାପଡ଼ିଛି । ମାର୍କେଟ୍ ତଥ୍ୟ ଅନୁସାରେ ଏହି ସପ୍ତାହରେ ରିଲାଏନ୍ସର ବଜାର ପୁଞ୍ଜିରେ ୩୧,୯୮୧ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ବଜାର ପୁଞ୍ଜି ପରିମାଣ ୯,୦୮,୮୮୮.୦୨ କୋଟିରେ ପହଞ୍ଚିଛି । ଅନ୍ୟାନ୍ୟ ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ଏଚ୍ଡିଏଫସି ବ୍ୟାଙ୍କର ବଜାର ପୁଞ୍ଜିରେ ୨୩,୫୦୩.୩୫ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ପୁଞ୍ଜି ୬,୮୦,୩୯୧.୮୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଏଚ୍ଡିଏଫ୍ସିର ୨୩,୩୮୫.୦୫ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ପରିମାଣ ୪,୧୬,୦୦୩.୧୯, ଭାରତୀ ଏୟାରଟେଲ୍ର ୨୩,୦୪୯.୭୨ କୋଟି ବୃଦ୍ଧିରେ ୨,୯୪,୩୮୧.୮୭ କୋଟି, ଆଇସିଆଇସିଆଇ ବ୍ୟାଙ୍କର ୨୦,୬୭୬.୧୬ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ୩,୪୭,୦୮୬.୫୩ କୋଟି, ହିନ୍ଦୁସ୍ତାନ ୟୁନିଲିଭରର ୧୮,୬୧୭.୩୮ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ୪,୬୭,୫୧୨.୮୧ କୋଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୫,୪୮୪.୨ କୋଟି ବୃଦ୍ଧିରେ ୨,୮୬,୦୩୩.୮୦ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ସେହିପରି କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ୫୭୩.୪୬ କୋଟି ବୃଦ୍ଧିରେ ମୋଟ ପୁଞ୍ଜି ପରିମାଣ ୩,୧୫,୯୨୦.୦୭ କୋଟି ଟଙ୍କାରେ ପହଞ୍ଚିଛି। ତେବେ ଗତ ଶୁକ୍ରବାର ସୁଦ୍ଧା ବଜାର ପୁଞ୍ଜି ଦୃଷ୍ଟିରୁ ଯେଉଁ କମ୍ପାନୀଙ୍କ କ୍ଷତି ଘଟିଛି ସେମାନଙ୍କ ମଧ୍ୟରେ ଦୁଇ ପ୍ରମୁଖ ଆଇଟି କମ୍ପାନୀ ଟିସିଏସ୍ ଏବଂ ଇନ୍ଫୋସିସ୍ ରହିଛନ୍ତି । ଏହି ସମୟରେ ଟିସିଏସ୍ର ବଜାର ପୁଞ୍ଜିରେ ୧୦,୬୫୬.୮ କୋଟି ଟଙ୍କା ହ୍ରାସ ଘଟି ଏହାର ମୋଟ ପୁଞ୍ଜି ପରିମାଣ ୮,୦୧,୭୭୨.୦୪ କୋଟି ଟଙ୍କାକୁ ଖସି ଆସିଥିବା ବେଳେ ଇନ୍ଫୋସିସ୍ର ୧୨୯୬.୮୮ କୋଟି ଟଙ୍କା ହ୍ରାସରେ ଏହାର ମୋଟ ପୁଞ୍ଜି ପରିମାଣ ୩,୩୦,୯୮୩.୨୨ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନର ସ୍ଥିତି ଅନୁଯାୟୀ ବଜାର ପୁଞ୍ଜିକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠୁ ଆଗୁଆ ରହିଛି। ଏହାପଛକୁ ଟିସିଏସ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଏଚ୍ଡିଏଫ୍ସି, ଆଇସିଆଇସିଆଇ ବ୍ୟାଙ୍କ, ଇନ୍ଫୋସିସ୍, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ୍ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ରହିଛନ୍ତି। ଗତ ସପ୍ତାହରେ ସେନ୍ସେକ୍ସ ସ୍ଥିତିରେ ବହୁ ଉନ୍ନତି ଘଟିଥିବା ବେଳେ ଏହାର କାରବାରରେ ହାରାହାରି ଭାବେ ୩.୫୩ ପ୍ରତିଶତ ବା ମୋଟ ୧୪୦୬.୩୨ ପଏଣ୍ଟ ବୃଦ୍ଧି ଘଟିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ୧ ତାରିଖରେ ସଂସଦରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପନ କରାଯିବା ପରେ ଷ୍ଟକ୍ ବଜାରରେ ଏକପ୍ରକାର ଚଡ଼କ ପଡ଼ିଥିଲା । ବଜେଟ୍ର ବିଭିନ୍ନ ଦିଗକୁ ନେଇ ନିବେଶକାରୀମାନେ ନିରୁତ୍ସାହିତ ହୋଇପଡ଼ିଥିବାରୁ ସେନ୍ସେକ୍ସରେ ଅନ୍ୟୂନ ୧୦୦୦ ପଏଣ୍ଟ ହ୍ରାସ ଘଟିଥିଲା। ବିଶେଷକରି ଟାକ୍ସ ଡିଭିଡେଣ୍ଡ ଏବଂ ଦୀର୍ଘ ମିଆଦୀ କ୍ୟାପିଟାଲ ଗେନ୍ ଟାକ୍ସ ବ୍ୟବସ୍ଥାକୁ ନେଇ ବଜେଟ୍ରେ ସ୍ପଷ୍ଟ କରାଯାଇନଥିବାରୁ ନିବେଶକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ବିଭିନ୍ନ କ୍ଷେତ୍ରରୁ ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ । ଏହାଦ୍ୱାରା ପ୍ରମୁଖ କମ୍ପାନୀଗୁଡିକର ବଜାର ପୁଞ୍ଜିରେ ବିପୁଳ ପରିମାଣର ହ୍ରାସ ଘଟିବା ସହିତ ନିବେଶକାରୀଙ୍କ ପ୍ରାୟ ୩.୫୦ ଲକ୍ଷ କୋଟି ଟଙ୍କା କ୍ଷତି ଘଟିଥିଲା । ତେବେ ୨ ତାରିଖ ପରେ ନିବେଶକାରୀଙ୍କ ମନୋଭାବରେ ପରିବର୍ତ୍ତନ ଘଟିବାରୁ ଷ୍ଟକ୍ ବଜାରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟିବା ସହିତ ସେନ୍ସେକ୍ସରେ ୯୧୭ ପଏଣ୍ଟ ବୃଦ୍ଧି ଘଟିଥିଲା । ଗତ ବୁଧବାର ମଧ୍ୟ ଏହି ଧାରା ଜାରି ରହିଥିବା ସହିତ ନିବେଶକାରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବାରୁ ବିଏସ୍ଇ ସେନ୍ସେକ୍ସରେ ୩୫୩ ପଏଣ୍ଟ ବୃଦ୍ଧି ଘଟିଥିବା ବେଳେ ଗୁରୁବାର ମଧ୍ୟ କେତେକ ପ୍ରମୁଖ କମ୍ପାନୀଙ୍କ ଉତ୍ତମ କାରବାରକୁ ନେଇ ସେନ୍ସେକ୍ସରେ ୧୬୩ ପଏଣ୍ଟ ବୃଦ୍ଧି ହୋଇଥିଲା।











