ଖୁବ୍ଶୀଘ୍ର ସାରାଦେଶରେ ‘ଚେକ୍ ଟ୍ରଙ୍କେସନ୍’
ନୂଆଦିଲ୍ଲୀ(ଓଟି): ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ଚେକ୍ ଟ୍ରଙ୍କେସନ୍ ବ୍ୟବସ୍ଥା ଲାଗୁ ହେବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ବ୍ୟବସ୍ଥା ୨୦୧୦ରେ ଆରମ୍ଭ କରାଯାଇଥିଲେ ମଧ୍ୟ କେବଳ କେତେକ ନିର୍ଦ୍ଦିଷ୍ଟ ସହରରେ କାର୍ଯ୍ୟ କରୁଛି। ଫିଜିକାଲ୍ ଚେକ୍ କ୍ଲିୟରାନ୍ସ ବ୍ୟବସ୍ଥା ମାଧ୍ୟରେ ଅର୍ଥ କାରବାର ପାଇଁ ଜଣେ ଗ୍ରାହକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ସାଧାରଣତଃ ଏହି ବ୍ୟବସ୍ଥାରେ ଅଳ୍ପ ସମୟରେ ଚେକ୍ କ୍ଲିୟରାନ୍ସ ହୋଇପାରିବ।
ସମ୍ପ୍ରତି ଡିଜିଟାଲ କାରବାର ବୃଦ୍ଧି ପାଇଥିବାରୁ ଏହାସହ ତାଳଦେଇ ଚେକ୍ ଟ୍ରଙ୍କେସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି କୁହାଯାଇଛି। ସେହିପରି ବର୍ଦ୍ଧିତ ଡିଜିଟାଲ କାରବାରକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ସୁଦ୍ଧା ଡିଜିଟାଲ ପେମେଣ୍ଟ ଇଣ୍ଡେକ୍ସ ବ୍ୟବସ୍ଥା କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଚେକ୍ ଟ୍ରଙ୍କେସନ୍ ବ୍ୟବସ୍ଥାରେ ଗ୍ରାହକମାନେ ସତର୍କ ରହିବା ଦରକାର ବୋଲି କୁହାଯାଇଛି । କାରଣ ଏଥିରେ ଅଣ-ସିଟିଏସ୍ ଚେକ୍ କାର୍ଯ୍ୟକାରୀ ହୋଇପାରିବନି। ଏହାକୁ ନେଇ ଗତବର୍ଷ ଜାନୁଆରୀ ପହିଲାରୁ ପ୍ରାୟ ସମସ୍ତ ବ୍ୟାଙ୍କ ଅଣ-ସିଟିଏସ୍ ଚେକ୍ ଇସ୍ୟୁ କରିବା ବନ୍ଦ କରିଦେଇଛନ୍ତି। ଯେଉଁ ଚେକ୍ ଗୁଡିକ ସିଟିଏସ୍-୨୦୧୦ ମାର୍କା ହୋଇନଥିବ ତାହା ଅଣ-ସିଟିଏସ୍ ଚେକ୍ ଭାବେ ବିବେଚିତ ହେବ। ତେଣୁ ଗ୍ରାହକମାନଙ୍କ ନିକଟରେ ସେଭଳି ଚେକ୍ ରହିଥିଲେ ତାହା ବଦଳାଇବା ପାଇଁ ପରାମର୍ଶ ଦିଆଯାଇଛି।











