କରୋନା କ୍ରିଟିକାଲ୍: ଚୀନ୍ ଯାଇଥିଲେ ଭାରତକୁ ‘ନା’
ନୂଆଦିଲ୍ଲୀ(ଓଟି): କ୍ରିଟିକାଲ୍ ବା ବଡ଼ ସାଂଘାତିକ ସ୍ଥିତି ସୃଷ୍ଟି କରିଛି କରୋନା ଭାଇରସ୍। ବିଶ୍ଵବ୍ୟାପି ଆତଙ୍କ ଖେଳାଇଥିବା ଏହି ମାରାତ୍ମକ ଭାଇରସରେ ୩୭ ହଜାର ୧୯୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୧୩ଜଣ ପ୍ରାଣ ହରାଇଲେଣି। ଫଳରେ ମୃତକଙ୍କ ସଂଖ୍ୟା ୨୦୦୨-୦୩ରେ ସେଇ ଚୀନ୍ରେ ସୃଷ୍ଟି ହୋଇଥିବା ଏସ୍ଏଆର୍ଏସ୍ (ସାର୍ସ) ଭାଇରସ୍ ଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ସେ ସମୟରେ ସାର୍ସ ଯୋଗୁ ବିଶ୍ଵରେ ୭୭୪ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ସେଥିରେ ଚୀନ ଓ ହଂକଂରେ ମୃତକ ସଂଖ୍ୟା ଅଧିକ ରହିଥିଲା। ଏଭଳି ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ଵର ବିଭିନ୍ନ ରାଷ୍ଟ୍ରା ଚୀନ ସହ ବିଭିନ୍ନ କ୍ଷେତ୍ରରୁ ସମ୍ପର୍କ ସାମୟିକ ଭାବେ ଛିନ୍ନ କରିସାରିଲେଣି। ଆମେରିକା ମଧ୍ୟ ଚୀନ ସହ ବିମାନ ଯୋଗାଯୋଗରେ କଡ଼ା କଟକଣା ଲଗାଇଛି।
ଏହି ପରିପ୍ରେକ୍ଷୀରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ନୂଆ ସର୍କୁଲାର ଜାରି କରିଛି। ସର୍କୁଲାର ଅନୁସାରେ ଜାନୁଆରୀ ୧୫ ପରେ ଚୀନ ଯାଇଥିବା ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ। ନୂଆ ସର୍କୁଲାର ଜାରି ହେବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ସେହିପରି ଫେବ୍ରୁଆରୀ ୫ ପୂର୍ବରୁ ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ଭିସା ମଧ୍ୟ ରଦ୍ଦ କରାଯାଇଥିବା ବେଳେ ବିମାନରେ ଥିବା ଚୀନ କ୍ରିଉ ମେମ୍ବରଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି କୁହାଯାଇଛି।
ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ଚୀନକୁ ଯାଉଥିବା ସମସ୍ତ ବିମାନ ସେବା ରଦ୍ଦ କରାଯାଇଥିବାବେଳେ ସ୍ପାଇସ ଜେଟ୍ ଦିଲ୍ଲୀରୁ ହଂକଂ ରୁଟ୍ରେ ସେବା ଅବ୍ୟାହତ ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟଯେ ଫେବ୍ରୁଆରୀ ପହିଲାରେ ଏୟାର ଇଣ୍ଡିଆର ଦୁଇଟି ବିମାନ ଚୀନରୁ ୬୪୭ ଭାରତୀୟଙ୍କୁ ଫେରାଇ ଆଣିଥିଲା। ସେଥିରେ ମାଳଦ୍ୱୀପର ୭ ଯାତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ। ଅନ୍ୟପକ୍ଷରେ କେବଳ କେରଳ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।
ଚାଇନିଜ୍ ଖାଦ୍ୟର କମିଲା ଚାହିଦା
ସମଗ୍ର ବିଶ୍ଵରେ ଚୀନ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଏକ ସ୍ଵତନ୍ତ୍ର ଚାହିଦା ରହିଥିବାବେଳେ ଭାରତରେ ମଧ୍ୟ ଲୋକେ ପସନ୍ଦ କରିଥାନ୍ତି। ତେବେ କରୋନା ଆତଙ୍କ ପାଇଁ ଦେଶର ପ୍ରମୁଖ ମହାନଗରୀ ସମେତ ବିଭିନ୍ନ ସ୍ଥାନରେ ଚାଇନିଜ୍ ଖାଦ୍ୟର ଚାହିଦା କମିଥିବା ଜଣାପଡ଼ିଛି। ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ଆଦି ପ୍ରମୁଖ ମହାନଗରୀର ବିଭିନ୍ନ ରେଷ୍ଟୁରାଣ୍ଟରେ ଗ୍ରାହକମାନେ ଚୀନ ଖାଦ୍ୟ ସମ୍ପର୍କରେ ଅନେକ କିଛି ପଚରାଉଚୁରା କରୁଥିବା ସୂଚନା ମିଳିଛି। କହିବାକୁ ଗଲେ ଚାଇନିଜ ଖାଦ୍ୟ ପ୍ରତି ଲୋକେ ଆଉ ଆଗ୍ରହ ରଖୁନାହାନ୍ତି। ଭାରତରେ ଏଭଳି ସ୍ଥିତି ଉପୁଜିବାରୁ ଚଇନିଜ ଫୁ଼ଡ ଆମଦାନୀ କରୁଥିବା ସଂସ୍ଥାଗୁଡ଼ିକର ଭାଳେଣି ପଡ଼ିଯାଇଛି। ତେବେ ଏଭଳି ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଫୋରମ ଅଫ୍ ଇଣ୍ଡିଆନ୍ ଫୁଡ୍ ଇମ୍ପୋର୍ଟସ୍ର ପ୍ରତିଷ୍ଠାତା ଅମିତ ଲୋହନୀ।











