ପ୍ରଥମଥର ଭୋଟ୍ ଦେଲେ ରେହାନ, ପୁଲକିତ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ବିଧାନସଭା ପାଇଁ ଆଜି ମତଦାନ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷାବେଳେ ଭୋଟ ଗ୍ରହଣ ପ୍ରକ୍ରିୟା ହୋଇଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀକୁ ନିଜ ଅକ୍ତିଆରକୁ ନେବା ପାଇଁ ବିଜେପି ଓ ଆପ୍‌ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା କୁହାଯାଉଛି। ସେହିପରି ନିଜର ପୂର୍ବ ସ୍ଥିତି ଫେରି ପାଇବାକୁ କଂଗ୍ରେସ ମଧ୍ୟ ଖୁବ୍‌ କସରତ କରିଛି। ସେଯାହାହେଉ ଦିଲ୍ଲୀବାସୀ କାହାକୁ ସରକାର ବାଛିଛନ୍ତି ତାହାତ ଫଳାଫଳରୁ ଜଣାପଡ଼ିବ; ତେବେ ଆଜି ଚର୍ଚ୍ଚିତ ରାଜନେତାଙ୍କ ସନ୍ତାନମାନେ ପ୍ରଥମଥର ଭୋଟ ଦେବାକୁ ନେଇ ସାଧାରଣରେ ଆଲୋଚନା ସରଗରମ ହୋଇଛି। ସେ ମଧ୍ୟରେ ଅଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୁଅ ପୁଲକିତ।

ରେହାନ ନିଜ ବାପା ରବର୍ଟ ଭଦ୍ରା ଓ ମା’ ପ୍ରିୟଙ୍କାଙ୍କ ସହ ବୁଥକୁ ଯାଇ ଭୋଟ ଦେଇଥିଲେ। ଗତବର୍ଷ ତାଙ୍କୁ ୧୮ ବର୍ଷ ବୟସ ହୋଇଥିବାବେଳେ ସାଧାରଣ ନିର୍ବାଚନରେ ସେ ଭୋଟ ଦେଇ ପାରିନଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିବାବେଳେ ସମସ୍ତେ ଭୋଟ ଦେବା ଅଧିକାର ସାବ୍ୟସ୍ତ କରିବା ଉଚିତ୍‌ ବୋଲି କହିଛନ୍ତି। ସେହିପରି ବିଶ୍ଵର ଅନ୍ୟ ପ୍ରମୁଖ ସହର ଭଳି ଆମ ସହରର ବିକାଶ ହେଉ ବୋଲି ରେହାନ ଆଶା ପ୍ରକଟ କରିଥିଲେ।

ଅନୁରୂପ ଭାବେ କେଜ୍ରିୱାଲଙ୍କ ପୁଅ ପୁଲକିତ ସପରିବାର ଗହଣରେ ଯାଇ ପ୍ରଥମଥର ଲାଗି ଭୋଟ୍ ଦେଇଛନ୍ତି। କେଜ୍ରିୱାଲଙ୍କ ସହ ତାଙ୍କ ବାପା, ମା, ପତ୍ନୀ ଓ ପୁଅ ପ୍ରମୁଖ ସିଭିଲ ଲାଇନ୍ସ ଅଞ୍ଚଳର ବୁଥକୁ ଯାଇ ଭୋଟ ଦେଇଥିଲେ। ଏହି ଅବସରରେ ପୁଲକିତ କହିଛନ୍ତି ଯେ  ଭୋଟ ପ୍ରକ୍ରିୟା ବହୁତ ଭଲ ଲାଗିଲା। ତେବେ ସେ ଜନତାଙ୍କ ପାଇଁ ଭୋଟ ଦେଇଛନ୍ତି ଓ ଜନତା ଯାହାକୁ ପସନ୍ଦ କରିବେ ସେ ହିଁ ଦିଲ୍ଲୀର ଶାସନ ମଙ୍ଗ ସମ୍ଭାଳିବେ ବୋଲି ପୁଲକିତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *