‘କରୋନା’ କ୍ରିଟିକାଲ୍: ମୃତ୍ୟୁ ସଂଖ୍ୟା ୭୨୨

ନୂଆଦିଲ୍ଲୀ(ଓଟି): କରୋନା କ୍ରିଟିକାଲ୍ ହେବାରେ ଲାଗିଛି। ମାରାତ୍ମକ ଏହି ଭାଇରସ୍ ଚୀନରେ ଜଣଙ୍କ ପରେ ଜଣଙ୍କ ଜୀବନ ନେଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଡ଼ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି। ଶନିବାର ଶେଷ ରିପୋର୍ଟ ଅନୁସାରେ ୮୬ ଜଣ ଲୋକଙ୍କ ପ୍ରାଣ ଚାଲିଯିବାକୁ ମିଶାଇ ମୃତକଙ୍କ ସଂଖ୍ୟା ୭୨୨ରେ ପହଞ୍ଚି ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଥିବାରୁ କେବଳ ଚୀନ କାହିଁକି; ସାରା ବିଶ୍ଵରେ ଆତଙ୍କ ବଢ଼ିଗଲାଣି।

ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଚୀନ ସରକାରଙ୍କ ନିଦ ହଜି ଯାଇଛି। ଗୁରୁତ୍ଵର ବିଷୟ ଯେ ଏନେଇ ପୂର୍ବରୁ ଜଣେ ଡାକ୍ତର ସୂଚନା ଦେଇଥିଲେ। କିନ୍ତୁ ତାଙ୍କ ସୂଚନାକୁ ସରକାର ବିଶ୍ଵାସକୁ ନେଇନଥିଲେ। ବରଂ ତାଙ୍କୁ ସାଧାରଣରେ ଏକ ପ୍ରକାର ଅପମାନିତ କରାଯାଇଥିବା କୁହାଯାଉଛି। ଯଦି ସେହି ଡାକ୍ତରଙ୍କ ସୂଚନା ପ୍ରକାରେ ସରକାର ସତର୍କ ରୁହନ୍ତେ ତେବେ ଗତ ଡିସେମ୍ବରରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇପାରନ୍ତା ବୋଲି ସାଧାରଣରେ କୁହାଯାଉଛି। ତେବେ ଚୀନ ସରକାରଙ୍କ ପକ୍ଷରୁ ଆଜି ଘୋଷଣା କରାଯାଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୬ ଜଣଙ୍କ ଜୀବନ ଗଲାଣି। କେବଳ ହୁବେଇରେ ୫ ଜଣଙ୍କ ସମେତ ଦେଶର ଅନ୍ୟସ୍ଥାନରେ ୭୯ ଜଣଙ୍କ ଜୀବନ ଯାଇଛି। ସେହିପରି ୩,୩୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୮ ହଜାରୁ ଅଧିକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି।

ସୂଚନାଯୋଗ୍ୟ ଯେ ୨୦୦୨-୦୩ରେ ଚୀନରେ ଏସଏଆରଏସ୍‌ (ସାର୍ସ) ଭାଇରସ ଆତଙ୍କ ଦେଖାଦେଇଥିଲା। ଏଥିରେ ଆକ୍ରାନ୍ତ ହୋଇ ବିଶ୍ଵରେ ୮୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିଲେ। କେବଳ ଚୀନ ଓ ହଂକଂରେ ୬୫୦ ଜଣଙ୍କ ପ୍ରାଣ ଯାଇଥିଲା। କିନ୍ତୁ ସାର୍ସ ଭଳି କରୋନା ଭାଇରସ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବହୁମାତ୍ରାରେ ବଢ଼ିବାରେ ଲାଗିଛି। କେବଳ ଚୀନରେ  ୭୨୨ ଜଣ ପ୍ରାଣ ହରାଇଥିବା ବେଳେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏ ଜୀବନ ହରାଇଛନ୍ତି। ସେହିପରି ସମ୍ପୃକ୍ତ ଦୁଇ ଦେଶରେ ୩୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ବିଶ୍ୱର ୨୮ଟି ଦେଶରେ କରୋନା ବ୍ୟାପି ଯାଇଛି। ସେ ମଧ୍ୟରେ ଭାରତର କେବଳ ନେପାଳରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷରେ ଖୁବ୍‌ ସତର୍କ ରହିଥିବା ଆମେରିକାର ଜଣେ ନାଗରିକ ଆଜି କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଆମେରିକୀୟଙ୍କ ଜୀବନ ଗଲା

କରୋନାରେ ଆକ୍ରାନ୍ତ ହୋଇ ଜଣେ ଆମେରିକୀୟ ପ୍ରାଣ ହରାଇଛନ୍ତି। ଏହା ଆମେରିକାର ପ୍ରଥମ ଘଟଣା। ସମ୍ପୃକ୍ତ ବ୍ୟକ୍ତି ଚୀନର ଉହାନରେ ରହୁଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ମୃତ୍ୟୁ ଘଟିଥିବା ଚୀନ ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ତେବେ ୬୦ବର୍ଷ ବୟସ୍କ ମୃତକ ପୁରୁଷ କି ମହିଳା ସ୍ପଷ୍ଟ କରାଯାଇନି।  

Leave a Reply

Your email address will not be published. Required fields are marked *