ରେଳ ବଜେଟ୍‌ରେ ଓଡ଼ିଶାକୁ ୪୩୭୩ କୋଟି

ଭୁବନେଶ୍ୱର: ସଂସଦରେ ଉପସ୍ଥାପିତ ହୋଇଯାଇଛି ପୂର୍ଣ୍ଣାଙ୍ଗ ରେଳ ବଜେଟ୍ । ଏଥିରେ ଓଡ଼ିଶା ପାଇଁ ୪୩୭୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଯାହାକି ପୂର୍ବାପେକ୍ଷା କମ୍ । ୨୦୧୯-୨୦ ଅପେକ୍ଷା ପ୍ରାୟ ୧୬୨୦କୋଟି କମ୍‍ ପାଣ୍ଠି ମିଳିଛି । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ମାନେଶ୍ୱରଠାରେ ନୂଆ ୱାଗନ ମରାମତି ୱାର୍କସପ୍‍ ସ୍ଥାପନ ପାଇଁ ୨୦କୋଟିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ୨୦୧୯-୨୦ ଆର୍ôଥକ ବର୍ଷରେ ୫୯୯୩ କୋଟି ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଏନ୍‌ଟିପିସିର ଝାରସୁଗୁଡ଼ା-ବରପାଲି କୋଇଲା କରିଡର ପାଇଁ ୧୪୦୦କୋଟି ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା । ସମ୍ପ୍ରତି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳଲାଇନ ପାଇଁ ୨୯୫୭କୋଟି ବ୍ୟବସ୍ଥା କରାଯାଇଛି । ଅନୁରୂପ ଭାବେ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ ପାଇଁ ୫୨୦ କୋଟି ମଞ୍ଜୁର ହୋଇଥିବାବେଳେ ପୂର୍ବଥର ୩୫୦କୋଟି ବ୍ୟବସ୍ଥା କରାଯାଇଥିଲା । ଏଥିସହ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଅଟକଳ କରାଯାଇଥିବାବେଳେ ପୂର୍ବବର୍ଷ ୨୫୦କୋଟି ବ୍ୟବସ୍ଥା ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଥିବାବେଳେ ହରିଦାସପୁର-ପାରାଦୀପ ରେଳପଥ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସାରିବାକୁ ଟାର୍ଗେଟ କରାଯାଇଛି । ପୂର୍ବରୁ ଏଥିପାଇଁ ୪ଶହ କୋଟି ଦିଆଯାଇଥିବାବେଳେ ସମ୍ପ୍ରତି ଶହେ କୋଟି ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଟିଟିଲାଗଡ଼-ରାୟଗଡ଼ା, ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ଼ ଓ ଟିଟିଲାଗଡ଼-ରାୟପୁର ରେଳମାର୍ଗର ଦୋହରାକରଣ କାର୍ଯ୍ୟ ସମେତ ଖୋର୍ଦ୍ଧା-ବଲାଙ୍ଗିର ଏବଂ ଲାଞ୍ଜିଗଡ଼-ଜୁନାଗଡ଼ ରେଳପଥର ବିଦ୍ୟୁତକରଣ କାର୍ଯ୍ୟ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେହିପରି ସମସ୍ତ ଲେଭଲ୍ କ୍ରସିଂକୁ ହଟାଇ ରୋଡ୍‍ ଓଭରବ୍ରିଜ୍‍ ଓ ଅଣ୍ଡର୍ ବ୍ରିଜ୍ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଇଥିବାବେଳେ ଏଥିପାଇଁ ୧୧୬୫କୋଟି ବବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *