ଚୀନରୁ ଚଉଦିଗ: ଅଣାୟତ୍ତ ‘କରୋନା’
ଭୁବନେଶ୍ଵର(ଓଟି): ମାରାତ୍ମକ କରୋନା ଭାଇରସ୍ ଅତି ଭୟଙ୍କର ରୂପ ନେଉଛି। ଚୀନରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ବିଶ୍ଵର ଚାରିଆଡ଼େ ଆତଙ୍କ ଖେଳାଇ ସାରିଲାଣି। ଖାଲି ସେତିକି ନୁହେଁ ୨୪ ଘଣ୍ଟାର ବ୍ୟବଧାନ ମଧ୍ୟରେ ଏହା ୧୮% ହାରରେ ଚୀନରେ ବ୍ୟାପିବାରେ ଲାଗିଥିବା ଜଣାପଡ଼ିଛି। କମିବାର ସଂକେତ ମିଳୁନଥିବା ଏହି କରୋନା ପାଇଁ ଚୀନରେ ବଡ଼ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ସୁଦ୍ଧା ଏହି ମାରାତ୍ମକ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ପାଇଁ ସାରା ବିଶ୍ଵରେ ଭାଳେଣି ପଡ଼ିଗଲାଣି।
ସୂଚନା ଅନୁସାରେ, ମଙ୍ଗଳବାର ସକାଳ ସୁଦ୍ଧା ମୋଟ ୨୦ ହଜାର ୪୩୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେ ମଧ୍ୟରେ ଏକ ମାସର ଶିଶୁକନ୍ୟା ମଧ୍ୟ ମାରାତ୍ମକ ଭୂତାଣୁର ଶୀକାର ହୋଇଛି। ସୋମବାର ତୁଳନାରେ ଏହି ସଂଖ୍ୟାରେ ୩,୨୩୫ ତଥା ୧୮ ପ୍ରତିଶତ ହାରରେ ଭାଇରସ୍ ବ୍ୟାପିଛି। ସେହିପରି ମୃତକଙ୍କ ସଂଖ୍ୟା ୪୨୫ରେ ପହଞ୍ଚିଥିବାବେଳେ ରବିବାରଠାରୁ ଏହି ସଂଖ୍ୟାରେ ୬୫ ବୃଦ୍ଧି ପାଇଛି। ଫଳରେ ଚୀନ ସରକାରଙ୍କ ଚିନ୍ତା ବଢ଼ାଇବା ସହ ବିଶ୍ଵର ୨୪ଟି ଦେଶର ମୁଣ୍ଡବ୍ୟଥାର କାରଣ ପାଲଟିଛି ଏହି କରୋନା ଭାଇରସ୍।
ଅନ୍ୟପକ୍ଷରେ ଚୀନ ବ୍ୟତୀତ ୧୯୦ ସଂକ୍ରମିତ ରୋଗୀ ବିଶ୍ଵର ଅନ୍ୟ ୨୪ଟି ଦେଶରେ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରେ ଭାରତର କେବଳ କେରଳ ରାଜ୍ୟରୁ ୩ ଜଣ ରହିଛନ୍ତି। ସେହିପରି କେନ୍ଦ୍ରୀୟ ଚୀନକୁ ବାଦ ଦେଲେ ବାହାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ଜଣେ ଫିଲିପାଇନ୍ସର ହୋଇଥିବାବେଳେ ସ୍ଵଂୟଶାସିତ ତଥା ସ୍ଵତନ୍ତ୍ର ହୋଇଥିବା ଚୀନ ସହର ହଂକଂରେ ମଙ୍ଗଳବାର ଜଣଙ୍କ ପ୍ରାଣ ଯାଇଛି। ସମ୍ପୃକ୍ତ ୩୯ ବର୍ଷ ବୟସ୍କ ବ୍ୟକ୍ତି ଚୀନର ଉହାନ ସହରରୁ ଫେରିଥିଲେ।
ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇବା ସହ କରୋନା ପାଇଁ ଚିନ୍ତା ପ୍ରକଟ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇସାରିଛନ୍ତି। ଏଥିସହ ଦେଶର ସ୍ଵାସ୍ଥ୍ୟସେବାରେ ଘୋର ସଂକଟ ସୃଷ୍ଟି ହୋଇଥିବା ଏବଂ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ସେ ପ୍ରକାଶ କରିଛନ୍ତି।
ଭାରତର ନୂଆ ସତର୍କତା ଜାରି
କରୋନା ମୁକାବିଲା ପାଇଁ ନୂଆଦିଲ୍ଲୀରେ କ୍ୟାବିନେଟ ସଚିବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ନୂଆ ସତର୍କତା ମଧ୍ୟ ଜାରି କରାଯାଇଛି। କେହି ଚୀନ ଯାତ୍ରା ନକରିବା ଲାଗି ସତର୍କ କରାଯାଇଥିବାବଳେ ୧୫ ଜାନୁଆରୀ ପରେ ଚୀନରୁ ଯିବା/ଆସିବା କରିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ହେଲେ ପୃଥକ ଭାବେ ରଖାଯାଇପାରେ ବୋଲି କୁହାଯାଇଛି। ସେହିପରି ଚୀନ ପାସପୋର୍ଟଧାରୀଙ୍କ ପାଇଁ ଇ–ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଭାରତ ଗସ୍ତ କରିବା ଜରୁରୀ ହୋଇଥିଲେ ବେଜିଂସ୍ଥିତ ଭାରତୀୟ ଦୂତାବାସ ଏବଂ ସାଙ୍ଘାଇ ଓ ଗୁଆଙ୍ଗଝୋଉସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି ସ୍ପଷ୍ଟ କରାଯାଇଛି।