ତୈଳ କମ୍ପାନୀ ନିବେଶ କରିବେ ୯୮,୫୨୧ କୋଟି

ନୂଆଦିଲ୍ଲୀ(ଓଟି): ଭାରତୀୟ ଅର୍ଥନୀତି ସମ୍ପ୍ରତି ମାନ୍ଦାବସ୍ଥାରେ ରହିଥିବାବେଳେ ଅଭିବୃଦ୍ଧି ହାର ନିରୁତ୍ସାହଜନକ ରହିଛି। ତେବେ ଏହାରି ଭିତରେ ଗତ ପହିଲାରେ ଆସିଯାଇଛି ସାଧାରଣ ବଜେଟ୍‌। ଅର୍ଥନୀତିକୁ ସୁଧାରିବାକୁ ଏବଂ ଅଭିବୃଦ୍ଧି ହାର ବୃଦ୍ଧି ପାଇଁ ସରକାର ନିରବଚ୍ଛିନ୍ନ ଭାବେ ଉଦ୍ୟମ ଚଳାଇଥିବାବେଳେ ବଜେଟରେ ମଧ୍ୟ ଅନେକ ଯୋଜନା ସମ୍ପର୍କରେ ଉପସ୍ଥାପନା କରାଯାଇଛି। ଏହିକ୍ରମରେ ତୈଳ କମ୍ପାନୀଗୁଡ଼ିକ ୯୮,୫୨୧ କୋଟି ନିବେଶ କରିବେ ବୋଲି ଜଣାପଡ଼ିଛି। ଭାରତୀୟ ତୈଳ ନିଗମ ଏବଂ ଓଏନ୍‌ଜିସି ଭଳି କେତେକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ତୈଳ ଓ ଗ୍ୟାସ ଉତ୍ପାଦନ, ରିଫାଇନେରୀ, ପେଟ୍ରୋକେମିକାଲ୍ସ ଏବଂ ପାଇପ୍‌ଲାଇନ୍ ପ୍ରକଳ୍ପ ଆଦିରେ ପୁଞ୍ଜି ନିବେଶ କରିବେ।

୨୦୧୯-୨୦ ରେ ସମ୍ପୃକ୍ତ କମ୍ପାନୀମାନେ ବିଭିନ୍ନ କ୍ଷେତ୍ରରେ ୯୪,୯୭୪ କୋଟି ବିନିଯୋଗ କରିଥିବାବେଳେ ୨୦୨୦-୨୧ ବଜେଟ୍ ଅନୁସାରେ ଏଥିରେ ୪ ପ୍ରତିଶତ ବୃଦ୍ଧିରେ ପୁଞ୍ଜି ନିବେଶ କରାଯିବ ବୋଲି ସରକାରୀ ସୂତ୍ରରେ କୁହାଯାଇଛି। ଓଏନ୍‌ଜିସି ପକ୍ଷରୁ ପୁଞ୍ଜି ନିବେଶରେ ୧୯ ପ୍ରତିଶତ ବୃଦ୍ଧିରେ ୩୨,୫୦୧ କୋଟି ନିବେଶ ଲକ୍ଷ୍ୟ ରଖାଯାଇଥିଲାବେଳେ ସର୍ବାଧିକ ନୂତନ ତୈଳ ଓ ଗ୍ୟାସ୍ ଖନନ ପାଇଁ ଉପଯୋଗ କରାଯିବ। ସେହିପରି ବିଦେଶରେ କାର୍ଯ୍ୟ କରୁଥିବା ଓଏନ୍‌ଜିସିର ସହଯୋଗୀ ଉଦ୍ୟୋଗ ମଧ୍ୟ ଗତ ବର୍ଷ ତୁଳନାରେ ପୁଞ୍ଜି ନିବେଶରେ ୧୦ ପ୍ରତିଶତ ବୃଦ୍ଧି କରିବା ସହିତ ମୋଟ ୭୨୩୫ କୋଟି ବିନଯୋଗ କରିବ ବୋଲି ଜଣାପଡ଼ିଛି। ଅନୁରୂପ ଭାବେ ଭାରତୀୟ ତୈଳ ନିଗମ ୧୭.୪ ପ୍ରତିଶତ ଅଭିବୃଦ୍ଧିରେ ମୋଟ ୨୬,୨୩୩ କୋଟି ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାଦ୍ୱାରା ପରିଚାଳିତ ବିଭିନ୍ନ ତୈଳ କ୍ଷେତ୍ରର ସଂପ୍ରସାରଣ ଏବଂ ଏହାର ୭ଟି ରିଫାଇନେରୀ ପ୍ରକଳ୍ପରୁ ଉତ୍ପାଦନ ପାଇଁ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଭାରତ ପେଟ୍ରୋଲିୟମ ନିଗମରୁ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ସରକାରୀ ଅଂଶଧନ ପ୍ରତ୍ୟହାର ପାଇଁ ଯୋଜନା ରଖାଯାଇଥିଲେ ମଧ୍ୟ ଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ବୃଦ୍ଧିରେ ୯୦୦୦ କୋଟି ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତୀୟ ଗ୍ୟାସ୍ ପ୍ରାଧିକରଣ(ଗେଲ୍‌) ଦ୍ୱାରା ୫୪୧୨ କୋଟି ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଦ୍ୱାରା ୧୧,୫୦୦ କୋଟି ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପାଇପ୍‌ଲାଇନ୍ ପ୍ରକଳ୍ପଗୁଡିର ସମ୍ପ୍ରସାରଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍‌ରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ମୋଟ ଗ୍ୟାସ୍ ପାଇପ୍‌ଲାଇନ୍ ୧୬,୨୦୦ କିମିରୁ ୨୭,୦୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *