ପାଣିରେ ଲାଗିଛି ନିଆଁ, ଲିଭାଇବ କିଏ!
ନୂଆଦିଲ୍ଲୀ(ଓଟି): ସାଧାରଣତଃ ନିଆଁ ଲାଗିଲେ ପାଣି ଖୋଜାପଡ଼େ। କାରଣ ପାଣି ହିଁ ନିଆଁ ଲିଭାଇପାରେ। ତେବେ ପାଣିରେ ନିଆଁ ଲାଗିଲେ ଲିଭାଇବ କିଏ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ଵାଭାବିକ। ତେବେ ସତରେ ପାଣିରେ କଣ ନିଆଁ ଲାଗିପାରେ? ପାଣି କଣ ଜଳିପାରେ?? ଏହି ପ୍ରଶ୍ନ ପ୍ରଥମେ ଆନ୍ଦୋଳିତ ମଧ୍ୟ କରିଥାଏ। ତେବେ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ସତରେ ପାଣିରେ ନିଆଁ ଲାଗିଯାଇଛି। ତାହା ପୁଣି ଏକ ନଦୀରେ … ହୁତ୍ ହୁତ୍ ହୋଇ ଜଳୁଛି ନଦୀ।
ସେଇ ନଦୀଟି ହେଉଛି ଆସାମର ଦିବ୍ରୁଗଡ଼ରେ ଥିବା ବୁରହି ଦିହିଙ୍ଗ।
ହଁ; ଗୌହାଟିରୁ ୬୦୦ କିଲୋମିଟର ଦୂର ଦିବ୍ରୁଗଡ ଜିଲ୍ଲା ଅନ୍ତର୍ଗତ ବୁରହି ଦିହିଙ୍ଗ ନଦୀରେ ନିଆଁ ଲାଗିଛି। ତେଲ ପାଇପ୍ ଲାଇନ୍ରେ ବିସ୍ଫୋରଣ ଘଟିବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ପାଣିରେ ମିଶିଯାଇଛି ଦହନଶୀଳ ପଦାର୍ଥ ତଥା ଅଶୋଧିତ ତେଲ। ଦୁଲିଆଜନ୍ରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ର ଏକ ପାଇପ୍ ଲାଇନ୍ ନଦୀ ଭିତର ଦେଇ ଆରପଟକୁ ଯାଇଛି। ସେଥିରେ ଅଶୋଧିତ ତୈଳ ଯୋଗାଣ ହେଉଥିବାବେଳେକୌଣସି କାରଣରୁ ପାଇପ୍ ଲାଇନ୍ରେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଛି। ଫଳରେ ଗତ ଦୁଇ ଦିନ ଧରି ନଦୀ ପାଣିରେ ନିଆଁ ଜଳୁଛି। କିନ୍ତୁ ଏହି କାରଣରୁ କେହି ମୃତାହତ ହୋଇନଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଜନବସତି ଆଡ଼କୁ ବ୍ୟାପକ ଧୂଆଁ ଓ ତାପ ପ୍ରବାହିତ ହେଉଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପରିବେଶ ଏକ ପ୍ରକାର ଘନ ଆସ୍ତରଣ ବା ବହଳ କୁହୁଡ଼ି ଆଚ୍ଛାଦିତ ଭଳି ହୋଇଛି। ଫଳରେ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଥିଲେ।
ଏ ସମ୍ପର୍କରେ ଅଏଲ ଇଣ୍ଡିଆର ସିନିଅର ମ୍ୟାନେଜର ତ୍ରିଦିବ ହଜରିକା କହିଛନ୍ତି ଯେ ଗତ ୩୧ତାରିଖ ମଧ୍ୟରାତ୍ରୀରୁ ଫେବ୍ରୁଆରୀ ପହିଲା ସକାଳ ମଧ୍ୟରେ ପାଇପ୍ ଲାଇନରେ ବିସ୍ପୋରଣ ଘଟିଥିଲା। ଫଳରେ ନିଆଁ ଲାଗି ରହିଛି। ଶେଷ ରିପୋର୍ଟ ବେଳକୁ ଟେକ୍ନିକାଲ ଟିମ୍ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିବା ସହ ପାଇପ୍ ଲାଇନ୍ ମରାମତି କରିବାକୁ ଉଦ୍ୟମ ଚଳାଇଥିଲେ।