କାୟା ମେଲାଉଛି ‘କରୋନା’: କେରଳରେ ତୃତୀୟ ରୋଗୀ

ନୂଆଦିଲ୍ଲୀ(ଓଟି): ମାରାତ୍ମକ କରୋନା ଭାଇରସ୍‌ କାୟା ମେଲାଇବାରେ ଲାଗିଛି। ଏଥିରେ ଆକ୍ରାନ୍ତ ଆଉଜଣେ ରୋଗୀ କେରଳରେ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କେବଳ କେରଳରେ ହିଁ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଚ ହୋଇଛି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶାଲିଜାଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଚାଇନାର ଉହାନରୁ ସ୍ୱଦେଶ ଫେରିଥିଲେ। ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପରୀକ୍ଷା କରିବା ସହ ତୀକ୍ଷ୍ଣ ନଜର ରଖିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଦିନକ ବ୍ୟବଧାନରେ ଦେଶରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। କାରଣ ଏହି ମାରାତ୍ମକ ଭାଇରସ୍‌ ପାଇଁ ସେଭଳି କୌଣସି ଟିକା ବା ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଔଷଧ ଏଯାଏ ବାହାରି ନାହିଁ। କେବଳ ପୂର୍ବରୁ ସତର୍କ ହେବା ସହ ଯେଭଳି ଭାଇରସ୍ ଆକ୍ରାନ୍ତ ନହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ। ତେବେ ଆଜି କେରଳରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ରିପୋର୍ଟ ଅନୁସାରେ କରୋନା ଆକ୍ରାନ୍ତ ହୋଇ ରବିବାର ସୁଦ୍ଧା ଚୀନରେ ୩୦୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ସେହିପରି ୧୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଖାଲି ସେତିକି ନୁହେଁ ବିଶ୍ୱର ୨୪ଟି ଦେଶରେ ଏହି ମାରାତ୍ମକ ଭାଇରସ ବ୍ୟାପି ଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଚୀନର ହୁବେଇ ରାଜ୍ୟର ରାଜଧାନୀ ଉହାନରେ କରୋନା ସଂକ୍ରମଣ ବଡ଼ ସାଂଘାତିକ ସ୍ଥିତିରେ ବ୍ୟାପିବାରେ ଲାଗିଛି। ସେଠାରୁ ହିଁ ଏହି ଭାଇରସ୍ ବିଶ୍ଵସ୍ତରକୁ ବ୍ୟାପିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କେବଳ କେରଳର ପ୍ରାୟ ୮୦୦ ଜଣ ଲୋକ ଭାଇରସ ଆକ୍ରାନ୍ତ ହୋଇଥିବା ଆଶଙ୍କାରେ ସେମାନଙ୍କୁ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ନଜରରେ ରଖାଯାଇଛି।

Leave a Reply

Your email address will not be published. Required fields are marked *