ଡେଉଁଛି ‘କରୋନା’: ଭାରତରେ ଆଉଜଣେ ଆକ୍ରାନ୍ତ
ନୂଆଦିଲ୍ଲୀ(ଓଟି): କରୋନା ପାଇଁ ସାରା ବିଶ୍ଵରେ ବଢ଼ିଯାଇଛି ଚିନ୍ତା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସମେତ ୟୁନିସେଫ୍, ମିଳିତ ଜାତିସଂଘ ଆଦି ବିଶ୍ଵସ୍ତରୀୟ କାର୍ଯ୍ୟାଳୟରେ ଏହି ମହାମାରୀ ସଂକ୍ରମଣ ଓ ଏହାକୁ ରୋକିବା ପାଇଁ ବିଚାର ବିମର୍ଶ ଚାଲିଛି। ଏଥିସହ ବିଶ୍ଵବ୍ୟାପୀ ଦେଶର ସରକାରମାନଙ୍କୁ ସତର୍କ ରହିବା ପାଇଁ ଓ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ଭାରତରେ ଆଉ ଜଣେ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେରଳରେ ଏଭଳି ରୋଗୀ ଠାବ ହେବାପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ତେବେ ଏହା ଦେଶର ଦ୍ଵିତୀୟ କରୋନା ସଂକ୍ରମିତ ଘଟଣା।
ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଚୀନ ଗସ୍ତରୁ ଫେରିଥିବାବେଳେ ତାଙ୍କ ନିକଟରେ କରୋନା ଭାଇରସ୍ ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କୁ ଏକ ହସ୍ପିଟାଲ୍ରେ ସ୍ଵତନ୍ତ୍ର ଭାବେ ଚିକିତ୍ସା କରାଯାଉଥିବାବେଳେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ରୋଗୀ ଓ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଚୀନର ଉହାନ ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା କେରଳର ଜଣେ ଛାତ୍ରଙ୍କ ନିକଟରେ କରୋନା ଭାଇରସ ପଜିଟିଭ୍ ଥିବା ଜଣାପଡ଼ିଥିଲା। ତାହା ଭାରତର ପ୍ରଥମ ସଂକ୍ରମିତ ଘଟଣା ଥିଲା।
କେନ୍ଦ୍ରୀୟ ଚୀନର ହୁବେଇ ପ୍ରୋଭିନ୍ସ/ରାଜ୍ୟର ରାଜଧାନୀ ଉହାନରେ କରୋନା ସଂକ୍ରମଣ ବଡ଼ ସାଂଘାତିକ ସ୍ଥିତିରେ ବ୍ୟାପିବାରେ ଲାଗିଛି। ସେଠାରୁ ହିଁ ଏହି ଭାଇରସ୍ ବିଶ୍ଵସ୍ତରକୁ ବ୍ୟାପିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଭାରତକୁ ମିଶାଇ ବିଶ୍ଵର ୨୪ ଦେଶରେ ଏହି ଘାତକ ଭାଇରସ୍ ମାଡ଼ିଯାଇଛି। ଅନ୍ୟପକ୍ଷରେ ଚୀନରେ ମୃତକଙ୍କ ସଂଖ୍ୟା ଶନିବାର ସୁଦ୍ଧା ୩୦୪ରେ ପହଞ୍ଚିଥିବାବେଳେ ସମଗ୍ର ଦେଶରେ ଶନିବାର ୨ ହଜାର ୫୯୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧୪ ହଜାର ୩୮୦ ଜଣ ସଂକ୍ରମିତ ରୋଗୀ ସଂଖ୍ୟା ପହଞ୍ଚିଗଲାଣି।