ଆନ୍ଦୋଳନ ଦୂରେଇବା ଲାଗି ଆନ୍ଦୋଳନ

ନୂଆଦିଲ୍ଲୀ(ଓଟି): ପ୍ରତିବାଦର ସହଜ ମାର୍ଗ ହେଉଛି ଆନ୍ଦୋଳନ। ତାଠୁ ସହଜ ମାର୍ଗ ହେଉଛି ବନ୍ଦ। ଭାରତରେ ଏଭଳି ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳେ। ତେବେ ବନ୍ଦ, ଧର୍ମଘଟ, ଆନ୍ଦୋଳନ ଆଦି ଯାହା ବି ହେଉ ତାହା କେତେ ଶାନ୍ତିପୂର୍ଣ୍ଣ ଭାବେ ହେଉଛି ତାହା ସର୍ବଦା ବିଚାର କରିବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ କହନ୍ତି। ସେହିପରି ଆନ୍ଦୋଳନ ବେଳେ ସାଧାରଣ ଜନତା ଯେଭଳି ଆଦୌ ହଇରାଣ ହେବେନି କି ସମସ୍ୟାରେ ପଡ଼ିବେନି ସେଥିପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ଖାଲି ସେତିକି ନୁହେଁ, ସର୍ବସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ କରାଗଲେ ତାହା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯାଏ। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନ ହଟାଇବା ଲାଗି ଆନ୍ଦୋଳନ କରାଯିବା ଭଳି ଘଟଣା ନିହାତି ଭାବେ କମ୍‌ ଦେଖିବାକୁ ମିଳେ। ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।

ପୂରା ଘଟଣା ଅନୁସାରେ- କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନଆରସିକୁ ବିରୋଧ କରି ଦେଢ଼ମାସରୁ ଅଧିକ ଦିନ ହେଲାଣି ଶାହୀନବାଗରେ ଆନ୍ଦୋଳନ ଚାଲିଛି। ତେବେ ଆନ୍ଦୋଳନ ଯୋଗୁ ସାଧାରଣ ଯାତାୟାତରେ ନାହିଁନଥିବା ସମସ୍ୟା ଉପୁଜୁଛି। ଫଳରେ ସ୍ଥାନୀୟ ଜନସାଧାରଣ ଅସୁବିଧାରେ ପଡୁଛନ୍ତି। ସେହି କାରଣରୁ ଅସନ୍ତୋଷ ଓ ଅସନ୍ତୋଷରୁ ଆଉଏକ ଆନ୍ଦୋଳନ ମୁଣ୍ଡ ଟେକିଛି। ଅଞ୍ଚଳବାସୀ ପୂର୍ବ ଆନ୍ଦୋଳନକାରୀଙ୍କୁ ସେଠାରୁ ହଟି ଅନ୍ୟତ୍ର ଆନ୍ଦୋଳନ କରିବା ପାଇଁ ଆଜି ଆନ୍ଦୋଳନ କରିଛନ୍ତି। 

ପୂର୍ବ ଆନ୍ଦୋଳନକାରୀଙ୍କଠାରୁ ଯଥାସମ୍ଭବ ଦୂରରେ ଅଞ୍ଚଳବାସୀ ଆନ୍ଦୋଳନ କରୁଥିବାବେଳେ ସେମାନଙ୍କ ସହ ଗୋ ରକ୍ଷା ସମିତିର କର୍ମୀ, ବଜରଙ୍ଗ ଦଳ ଓ ବଜରଙ୍ଗ ଆଖଡା ସମିତି ସଦସ୍ୟ ପ୍ରମୁଖ ସାମିଲ ରହିଥିବା ସୂଚନା ମିଳିଛି। ସେ ଯାହାହେଉ ଆନ୍ଦୋଳନ ହଟାଇବା ଲାଗି ବା ବିରୋଧରେ ଆନ୍ଦୋଳନ କରାଯିବା ଘଟଣା ଏକ ନୂଆ ଦୃଶ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *