୨୦୨୨ ସୁଦ୍ଧା ସମସ୍ତଙ୍କୁ ମିଳିବ ଘର

ନୂଆଦିଲ୍ଲୀ(ଓଟି): ବିଗତ ବହୁ ବର୍ଷ ଧରି ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭଲ ସ୍ଥିତି ରହିଥିଲାବେଳେ ଜିଏସଟି ଓ ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ରେରା) ଲାଗୁହେବା ପରେ ଏଥିରେ ଉଲ୍ଲେଖନୀୟ ସୁଫଳ ମିଳିପାରିଛି ଏବଂ ଗତ କିଛି ବର୍ଷ ଏକ୍ଷେତ୍ରରେ ସ୍ଥିତି ସ୍ଵାଭାବିକ ରହିଛି। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍‌ରେ ଏହି କ୍ଷେତ୍ରକୁ ଗୁରୁତ୍ଵ ପ୍ରଦାନ କରିଛନ୍ତି। ଏଥିସହ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଗୃହ ମିଳିବ ବୋଲି ପ୍ରକାଶ କରିଛନ୍ତି

ସାମଗ୍ରିକ ବିକାଶ ତଥା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଘୋଷଣା ହୋଇଛି ଅନେକ ଯୋଜନା। ସେ ମଧ୍ୟରେ ରହିଛି ୯ ହଜାର କିମିର ଅର୍ଥନୀତିକ କରିଡର୍, ୨୫ଶହ କିଲୋମିଟର ଏକ୍ସପ୍ରେସ୍ ହାଇଓ୍ବେ, ୨୦୦୦ କିଲୋମିଟରର ଉପକୂଳୀୟ ସଡ଼କ ଓ ସ୍ଵତନ୍ତ୍ର ରାଜମାର୍ଗ ଆଦି ନିର୍ମାଣ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଇନଫ୍ରାଷ୍ଟକ୍ଚର କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ କହିସାରିଛନ୍ତି। ଗୃହ ନିର୍ମାଣ, ସ୍ଵଚ୍ଛ-ଶୁଦ୍ଧ ପାନୀୟ ଜଳ, ସ୍ଵାସ୍ଥ୍ୟସେବା, ଶିକ୍ଷାନୁଷ୍ଠାନ, ରେଳ ଷ୍ଟେସନ, ବିମାନ ବନ୍ଦର ଆଦି କ୍ଷେତ୍ରରେ ଉକ୍ତ ଅର୍ଥ ବିନିଯୋଗ ହେବ। ଏସବୁ କ୍ଷେତ୍ରରେ ଯୁବବର୍ଗଙ୍କୁ ପ୍ରାଧ୍ୟାନ୍ୟ ଦିଆଯିବା ସହ ସିଙ୍ଗଲ୍ ୱିଣ୍ଡୋ ଲଜିଷ୍ଟିକ୍ ମାର୍କେଟ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଥିସହ ସେ ଆହୁରି କହିଛନ୍ତି ଯେ ୨୦୨୨ ସୁଦ୍ଧା ସମସ୍ତଙ୍କ ଲାଗି ଗୃହ ପ୍ରଦାନ ସୁନିଶ୍ଚିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିବାବେଳେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ତୁରନ୍ତ ଉତ୍ତମ ସ୍ଥିତି ଆସିଯିବ। ସମ୍ପ୍ରତି ଗୃହ କ୍ରୟ କ୍ଷେତ୍ରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୁଧ ଛାଡ଼ କରାଯିବା ସହ ମୂଳଧନରେ ମଧ୍ୟ ଦେଢ଼ଲକ୍ଷ ଛାଡ଼ ମିଳିପାରୁଛି। ଖାଲି ସେତିକି ନୁହେଁ ପ୍ରଥମଥର କ୍ରୟ କରୁଥିବା କ୍ଷେତ୍ରରେ ଆହୁରି ୫୦ ହଜାର ଟଙ୍କାର ରିହାତି ମଧ୍ୟ ମିଳୁଛି। ଏଥିପାଇଁ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଗତ ବଜେଟ୍ରେ ୨୫ ହଜାର କୋଟିର ସ୍ଵତନ୍ତ୍ର ପାଣ୍ଠି କରଯାଇଥିଲା। କିନ୍ତୁ ସେହି ଅନୁସାରେ ଆଶାଜନକ ସୁଫଳ ମିଳିପାରିନଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *