କମିଛି ଅଭିବୃଦ୍ଧି ହାର, ସଜାଡ଼ିଲେ ସରକାର
ନୂଆଦିଲ୍ଲୀ(ଓଟି): ଆଜି ସାଧାରଣ ବଜେଟ୍। ଏହାକୁ ନେଇ ଦେଶର ବିଭିନ୍ନ ମହଲରେ ଅନେକ ଆଶା ଆଉ ପ୍ରତୀକ୍ଷା ରହିଛି। ତେବେ ଏହାର ଠିକ୍ ଦିନେ ପୂର୍ବରୁ ସରକାର ଅଭିବୃଦ୍ଧି ହାର ହ୍ରାସକୁ ଏକ ପ୍ରକାର ସ୍ଵୀକାର କରିନେଇଛନ୍ତି। କାରଣ ପୂର୍ବରୁ ଘୋଷିତ ସଂଖ୍ୟାରେ ସରକାର ସଂଶୋଧିତ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ବୋଲି ପୂର୍ବରୁ ସରକାର ଘୋଷଣା କରିଥିବାବେଳେ ସମ୍ପ୍ରତି ଏଥିରେ ସଂଶୋଧନ କରାଯାଇଛି। ଏହାକୁ ୬.୧ ପ୍ରତିଶତ ବୋଲି ଶୁକ୍ରବାର ଘୋଷଣା କରାଯାଇଥିବାବେଳେ ୨୦୧୭-୧୮ ଅଭିବୃଦ୍ଧି ହାର ୭ ପ୍ରତିଶତ ବୋଲି ସଂଶୋଧିତ କରାଯାଇଛି। ପୂର୍ବରୁ ଏହା ୭.୨ ପ୍ରତିଶତ ବୋଲି କୁହାଯାଇଥିଲା।
ସୂଚନାଯୋଗ୍ୟ ଯେ ରିଫାଇନାରୀ ଉତ୍ପାଦ, ପ୍ରାକୃତିକ ବାଷ୍ପ, କୋଇଲା, ଅଶୋଧିତ ତେଲ, ବୈଦ୍ୟୁତିକରଣ, ଫର୍ଟିଲାଇଜର୍ସ, ସିମେଣ୍ଟ ଷ୍ଟିଲ୍ ଆଦି ୮ଟି କୋର ସେକ୍ଟରରେ ଅଭିବୃଦ୍ଧି ହାର ହ୍ରାସ ଘଟିଛି। ଆର୍ଥିକ ମାନ୍ଦାବସ୍ଥା ଓ ଉତ୍ପାଦନ କମିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏସବୁ କୋର କ୍ଷେତ୍ରରେ ୨୦୧୯ ଡିସେମ୍ବର ବେଳକୁ ୨.୧ ପ୍ରତିଶତ ଅଭିବୃଦ୍ଧି ହାର ରହିଥିବାବେଳେ ଚଳିତ ବର୍ଷ ୧.୩ ରହିଛି। କ୍ରମାଗତ ୫ ମାସ ଲାଗି ଏଭଳି ନିରୁତ୍ସାହଜନକ ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।
ଏଭଳି ସନ୍ଧିକ୍ଷଣରେ ଆଜିର ବଜେଟ୍ କିଭଳି ରୂପରେଖ ନେଉଛି ତାହା ସମସ୍ତଙ୍କ ପାଇଁ ପ୍ରତୀକ୍ଷାର ବିଷୟ। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ଜଣାପଡ଼ିଛି। ବିଶେଷକରି ସମ୍ପ୍ରତି ଚୀନ ସମେତ ଅନ୍ୟ ରାଷ୍ଟ୍ରରେ ବ୍ୟାପିଥିବା କରୋନା ଭାଇରସ ଆତଙ୍କ ଯୋଗୁଁ ବିଶ୍ଵ ବଜାରକୁ ଏହା ପ୍ରଭାବିତ କରିଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଗତ ଗୁରୁବାର କିଛିଟା ହ୍ରାସ ଘଟିଥିବାରୁ ବଜେଟ୍ ପରେ ପରେ ଆହୁରି ହ୍ରାସ ଘଟିବାରେ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।
କମିଲା ତେଲ ଦର
ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିବା ଆଗକୁ ଏକ ଶୁଭ ସଂକେତ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପେଟ୍ରୋଲ ୨୩ରୁ ୨୫ ପଇସା କମିଥିବାବେଳେ ଡିଜେଲରେ ମଧ୍ୟ ଲିଟର ପିଛା ୨୨ରୁ ୨୪ ପଇସା ହ୍ରାସ ଘଟିଛି । ଇଣ୍ଡିଆନ ଅଏଲ୍ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇ ଆଦି ମହାନଗରରେ ଗତ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିଲା। ଶୁକ୍ରବାର ମଧ୍ୟ ଉକ୍ତ ହ୍ରାସରେ ବିଶେଷ ପରିବର୍ତ୍ତନ ଘଟିନଥିଲା।
ଚୀନରେ ଦେଖାଦେଇଥିବା ‘କରୋନା’ ଭାଇରସ୍ ଆତଙ୍କ ଯୋଗୁଁ ବିଶ୍ୱ ବଜାରରେ ଏହା ଖୁବ୍ ପ୍ରଭାବ ପକାଇଛି। ଏଥିଯୋଗୁ ଅଶୋଧିତ ତୈଳଦରରେ ହ୍ରାସ ଘଟିଥିବା ମଧ୍ୟ କୁହାଯାଉଛି। ସେହିପରି ଆମେରିକାର ଏନର୍ଜି ଇନଫର୍ମେସନ ଆଡମିନିଷ୍ଟ୍ରେସନର ସୂଚନା ଅନୁସାରେ ଗତ ସପ୍ତାହରେ ୩୫ ଲକ୍ଷ ବ୍ୟାରେଲ୍ ତୈଳ ଆମେରିକୀୟ ଭଣ୍ଡାରରେ ବୃଦ୍ଧି ଘଟିଥିଲା। ଫଳରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି । ଏଥିସହ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଗତବର୍ଷ ତୁଳନାରେ ୧.୦୨ ପ୍ରତିଶତ ଶସ୍ତା ହୋଇଥିବାବେଳେ ବ୍ୟାରେଲ ପିଛା ୫୮.୩୧ ଡଲାରରେ କାରବାର ହୋଇଥିବା ଜଣାପଡ଼ିଛି।