ସିଏଏ ବିରୋଧରେ ଆନ୍ଦୋଳନ, ଉତ୍ତେଜନା

ଭୁବନେଶ୍ଵର(ଓଟି): ନାଗରିକତା ସଂଶୋଧିତ ଆଇନ (ସିଏଏ)କୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କେତେକ ଜିଲ୍ଲାରେ ମୋର୍ଚ୍ଚା ଜୋରଦାର ଆନ୍ଦୋଳନ କରିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆନ୍ଦୋଳନ ଅଧିକ କରାଯାଇଥିବାବେଳେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ମୋର୍ଚ୍ଚାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ରାସ୍ତାରୋକ ଓ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଅନେକ ଲୋକଙ୍କୁ ଉଠାଇ ନେଇଥିଲା।

ଅଭିଯୋଗ ଅନୁସାରେ କେନ୍ଦୁଝର ଗାନ୍ଧୀ ଛକଠାରେ ଆନ୍ଦୋଳନକାରୀ ରାସ୍ତାରୋକ କରିବା ସହ ଦେଶ ବିରୋଧୀ ନାରା ଦେବା ସହ ପାକିସ୍ତାନ ଜିନ୍ଦାବାଦ ବୋଲି କହିବାରୁ ଉପସ୍ଥିତ ସାଧାରଣ ଜନତା ତାହାର ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପ୍ରାୟ ୩୦ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଥିଲା। ସେହିପରି ମୋର୍ଚ୍ଚାର କର୍ମୀମାନେ ରାଉରକେଲା-ବିଶ୍ରା ଛକଠାରେ ସକାଳୁ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ପ୍ଲାଣ୍ଟ ସାଇଟ୍ ପୁଲିସ୍‌ ରାସ୍ତା ଅବରୋଧକାରୀଙ୍କୁ ଉଠାଇ ନେବା ସହ ୩୬ ଜଣଙ୍କୁ ଗିରଫ କରିଥିଲା। ଆନ୍ଦୋଳନ ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଦୋକାନ ବଜାର ସ୍ୱାଭାବିକ ରହିଥିଲା।

Leave a Reply

Your email address will not be published.