୩୧ ବାତିଲ, ୧୩ରେ ହେବ ପୂର୍ବାଞ୍ଚଳ କାଉନସିଲ୍ ବୈଠକ
ଭୁବନେଶ୍ୱର(ଓଟି): ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ତାରିଖରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହା ଜାନୁଆରୀ ୩୧ରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଫେବ୍ରୁଆରୀ ୧୩କୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବାଞ୍ଚଳର ସମସ୍ତ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ଵରରେ ହେବାକୁ ଥିବା ଉକ୍ତ ଜୋନାଲ କାଉନସିଲ୍ ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯୋଗଦେବାର ରହିଛି। ଲୋକସେବା ଭବନସ୍ଥିତ ନୂଆ କନଭେନସନ୍ ସେଣ୍ଟରରେ ହେବାକୁ ଥିବା ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକିମ୍ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ହୋଇସାରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବୈଠକ ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଆସନ୍ତା ୧୨ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଦୃଷ୍ଟିରୁ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ ଶେଷଥର ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ୨୦୧୮ ଅକ୍ଟୋବରରେ କୋଲକାତାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ବୈଠକରେ ୨୦୨୧ ଜନଗଣନା, ସିଏଏ ଓ ଏନଆରସି ବିଷୟକୁ ଗୁରୁତ୍ଵ ଦିଆଯାଇପାରେ ବୋଲି ସୂଚନା ମିଳିଛି।