ସୁଆଣ୍ଡୋର ହେବ ପୁନର୍ବିନ୍ୟାସ: 5 ଟି ସଚିବଙ୍କ ଅଚାନକ ଗସ୍ତ
ଭୁବନେଶ୍ଵର, (ଓଟି): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ‘ସୁଆଣ୍ଡୋ’କୁ ନେଇ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିପାରନ୍ତି। ଗଣତନ୍ତ୍ର ଦିବସର ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ ଟି କ୍ଷମତାପନ୍ନ ସଚିବ ଭିକେ ପାଣ୍ଡିୟାନ୍ଙ୍କ ହଠାତ୍ ସୁଆଣ୍ଡୋ ଗସ୍ତ ଏବଂ ଅଧିକାରୀଙ୍କ ସହ ଆଲୋଚନା ଏହାକୁ ଅଧିକ ସ୍ପଷ୍ଟ କରୁଛି। ଅବଶ୍ୟ ଏହା ସତ୍ୟ ଯେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋକୁ ଏକ ଐତିହ୍ୟ ଗ୍ରାମରେ ପରିଣତ କରିବା ଲାଗି ଘୋଷଣା କରିଥିଲେ। ଏଯାଏ ତାହା କାର୍ଯ୍ୟକାରୀ ହୋଇନାହିଁ।

ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସୁଆଣ୍ଡୋ ହେଉଛି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ତଥା ଷଠୀଘର। ଏହିଠାରେ ତାଙ୍କର ପିଲାଦିନ ତଥା ପାଠପଢ଼ି ସମୟ କଟିଛି। ତାଙ୍କରି କିଛି ଆସବାବପତ୍ର ସହ ଶ୍ରୀ ଦାସଙ୍କ ଏକ ପ୍ରତିମୂର୍ତ୍ତି ଏଠାରେ ଶୋଭା ପାଉଛି। ଏହି ସ୍ମାରକୀକୁ ପରିଦର୍ଶନ କରିବା ସହ ଶ୍ରୀ ପାଣ୍ଡିୟାନ୍ ଗ୍ରାମବାସୀ ତଥା ଦାସ ପରିବାରର ମୁରବୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୁରୀ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ଏଠାରେ ଏକ ସଂଗ୍ରହାଳୟ ଖୋଲାଯିବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନଭେମ୍ବର ୪ ତାରିଖରେ ପୁରୀ ଜିଲ୍ଲା ସବ୍କଲେକ୍ଟର ଏବଂ ଇନ୍ଟାକ୍- ପୁଡୁଚେରୀର କିଛଇ ଅଧିକାରୀ ଏହି ଗାଁ ବୁଲି ସମ୍ପୃକ୍ତ ଅଞ୍ଚଳର ବିକାଶ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ସ୍ଵତନ୍ତ୍ର ସେତୁ ନିର୍ମାଣ ପାଇଁ ମଧ୍ୟ ଆଲୋଚନା ହୋଇଥିଲା।

ଗ୍ରାମବାସୀମାନେ ସେତେବେଳେ ତାଙ୍କ ଜମିକୁ ଏହି ସେତୁ ନିର୍ମାଣାର୍ଥେ ଦେବା ଲାଗି ସହମତି ପ୍ରକାଶ କରିଥିବା ଖବରକାଗଜରେ ପ୍ରକାଶ ପାଇଥିଲା। ହେଲେ ଏହି ଘୋଷଣା ଓ ଆଲୋଚନାକୁ ପ୍ରାୟ ତିନିମାସରୁ ଅଧିକ ସମୟ ବିତିଥିଲେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ନାହିଁ । ଏବେ ରାଜ୍ୟ ସରକାରଙ୍କ ବରିଶ୍ଠ ଅଧିକାରୀ ତଥା ୫-ଟି ସଚିବଙ୍କ ଉପସ୍ଥିତି ଆଗକୁ ଆଉ କିଛି ବଡ଼ ଘୋଷଣାକୁ ସ୍ପଷ୍ଟ କରିଛି।











