ସ୍ଥାୟୀ ନୁହେଁ ମାନ୍ଦାବସ୍ଥା, ହଟିଯିବ

ନୂଆଦିଲ୍ଲୀ(ଓଟି): ଭାରତରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଅସ୍ଥାୟୀ । ଖୁବଶୀଘ୍ର ଆଗକୁ ଏଥିରେ ସୁଧାର ଆସିବା ଆଶା କରାଯାଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭା ଏଭଳି ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥିକ ମଞ୍ଚ-୨୦୨୦କୁ ସମ୍ବୋଧିତ କରିବା ଅବସରରେ କ୍ରିଷ୍ଟାଲିନା କହିଛନ୍ତି ଯେ ୨୦୧୯ ଅକ୍ଟୋବରରେ ଆଇଏମ୍ଏଫ୍  ପକ୍ଷରୁ ଆକଳନ କରାଯାଇଥିବା ବିଶ୍ଵର ଆର୍ଥିକ ପରିସ୍ଥିତି ତୁଳନାରେ ୨୦୨୦ ଜାନୁଆରୀରେ ତାହା ଖୁବ୍ ଉନ୍ନତି ସ୍ଥିତିରେ ରହିଛି। ଏଥିପାଇଁ କେତେକ ସକାରାତ୍ମକ କାରଣ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଆମେରିକା ଓ ଚୀନ ମଧ୍ୟରେ ବ୍ୟାବସାୟିକ ବୁଝାମଣା ପରେ ଅନେକ ସମସ୍ୟା ସମାଧାନ ହୋଇଥିବାବେଳେ ଟ୍ୟାକ୍ସ ହ୍ରାସ ମଧ୍ୟ ଏକ ପ୍ରମୁଖ କାରଣ। ଫଳରେ ବିଶ୍ୱସ୍ତରୀୟ ସକାରାତ୍ମକ ପ୍ରଭାବ ପଡ଼ିପାରିଛି । ଅନ୍ୟପକ୍ଷରେ ୩.୩ ଆର୍ଥିକ ଅଭିବୃଦ୍ଧି ଘଟିବା ସ୍ଥିତିକୁ ଶୁଭସୂଚନା କୁହାଯାଇପାରିବନି ବୋଲି ସେ ସ୍ପଷ୍ଟ କରିଛନ୍ତି।
କ୍ରିଷ୍ଟାଲିନା ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଅଭିବୃଦ୍ଧି ନିରୁତ୍ସାହଜନକ ଥିବାବେଳେ ଆମକୁ ବିତ୍ତୀୟ ନୀତିକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିସହ ପରିଚାଳନା ଓ ନୀତିରେ ଆବଶ୍ୟକ ପରିବର୍ତ୍ତନ ତଥା ପୁନର୍ଗଠନ ପୂର୍ବକ ଗଠନମୂଳକ ପଦକ୍ଷେପ ନେବାକୁ ପଡ଼ିବ । କାରଣ ବିଶ୍ୱବଜାର ସମ୍ପ୍ରତି ଅଧିକ ଗତିଶୀଳ ଓ ବଢ଼ିବାରେ ଲାଗିଥିବାରୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରମୁଖ ବଜାର ଭାରତରେ ଅର୍ଥନୀତିକ ଅଧୋଗତି ଓ ନିମ୍ନ ଅଭିବୃଦ୍ଧି ଦେଖିବାକୁ ମିଳିଛି । କିନ୍ତୁ ଏହି ମାନ୍ଦାବସ୍ଥା ଅସ୍ଥାୟୀ ହୋଇଥିବା ବେଳେ ଆଗକୁ ଭଲ ସମୟ ଆସିବାର ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଇଣ୍ଡୋନେସିଆ ଓ ଭିଏତନାମ ଭଳି କେତେକ ରାଷ୍ଟ୍ରରେ ବଜାର ତଥା ଆର୍ଥିକ ସ୍ଥିତି ଉତ୍ସାହଜନକ ରହିଥିବାବେଳେ ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟ ଉତ୍ତମ ସ୍ଥିତିରେ ରହିଛନ୍ତି। କିନ୍ତୁ ମେକ୍ସିକୋ ଭଳି କେତେକ ଉନ୍ନତ ରାଷ୍ଟ୍ର ଭଲ ପରିସ୍ଥିତିରେ ନାହାନ୍ତି ବୋଲି ଆଇଏମ୍ଏଫ୍ ଏମଡି କ୍ରିଷ୍ଟାଲିନା ଜର୍ଜେଭା କହିଛନ୍ତି।

Leave a Reply

Your email address will not be published. Required fields are marked *