ଆଧାର-ପାନ୍ ଲିଙ୍କ୍ ନହେଲେ ଦରମାରୁ କଟିବ
ନୂଆଦିଲ୍ଲ(ଓଟି): ଏଣିକି ଦରମାପ୍ରାପ୍ତ କର୍ମଚାରୀ ସତର୍କ ହେବା ଦରକାର। ନିୟମ ଅନୁସାରେ ଆଧାର ସହ ପାନ୍ ନମ୍ବର ସଂଯୋଗ କରିବା ନିହାତି ଆବଶ୍ୟକ। ନହେଲେ ଦରମାରୁ କଟିଯିବ ଟିକସ। କର୍ମଚାରୀମାନେ ସେମାନଙ୍କ ଆଧାର ଏବଂ ପାନ୍ ନମ୍ବର ସେମାନଙ୍କ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ନଦେଲେ ଦରମାରୁ ୨୦ ପ୍ରତିଶତ ହାରରେ ଟିକସ କାଟିନେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ସଂପ୍ରତି ଲାଗୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଯେଉଁ କର୍ମଚାରୀମାନଙ୍କ ବାର୍ଷିକ ଦରମା ୨.୫ ଲକ୍ଷ ଟଙ୍କା ମଧ୍ୟରେ ହୋଇଥିବ ସେମାନେ ତାଙ୍କର ନିଯୁକ୍ତକାରୀ ସଂସ୍ଥାକୁ ଆଧାର ନମ୍ବର ଏବଂ ପାନ୍ ନମ୍ବର ଦେବାକୁ ବାଧ୍ୟ ହେବେ। ନଚେତ୍ ଟିକସ ବାବଦରେ ସେମାନଙ୍କ ଦରମାରୁ ୨୦ ପ୍ରତିଶତ କାଟି ରଖାଯିବ। ସିବିଡିଟି ପକ୍ଷରୁ ଚଳିତ ମାସ ୧୬ରୁ ଲାଗୁ କରାଯାଇଥିବା ଏହି ନିୟମ ମାଧ୍ୟମରେ ୨.୫ ଲକ୍ଷ ଟଙ୍କା ଆୟ କରୁଥିବା କର୍ମଚାରୀଙ୍କ ଆୟ ଏବଂ ସେମାନଙ୍କ ଟିଡିଏସ୍(ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ) ଉପରେ ନଜର ରଖାଯିବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ କରାଯାଇଥିବା କୁହାଯାଇଛି।











