ସୁରାଟ, ବାରାଣସୀ ପରେ ପ୍ରୟାଗରାଜକୁ ଉଡ଼ିବ ବିମାନ
ଭୁବନେଶ୍ୱର(ଓଟି): ଆସନ୍ତା ୩୧ରୁ ଭୁବନେଶ୍ୱର-ବାରାଣସୀ ମଧ୍ୟରେ ଆଲାଏନ୍ସ ଏୟାର୍ ବିମାନ ଚଳାଚଳ କରିବ। ସେହିପରି ଫେବ୍ରୁଆରୀ ୨୯ରୁ ବାରାଣସୀକୁ ସେବା ଯୋଗାଇବ ଇଣ୍ଡିଗୋ। ଅନ୍ୟପକ୍ଷରେ ୨୪ରୁ ଝାରସୁଗୁଡ଼ାରୁ କୋଲକାତା ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର୍। ଖାଲି ସେତିକି ନୁହେଁ ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ବିମାନ ସେବା ଯୋଗାଇଦେବ ଇଣ୍ଡିଗୋ। ସୂଚନାଯୋଗ୍ୟ ଯ ଗତ ୨୦ରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ସୁରାଟକୁ ଏୟାର୍ ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହୋଇସାରିଛି।
ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ୧୦ରୁ ଅଧିକ ନୂଆ ରୁଟ୍ରେ ବିମାନ ଚଳାଚଳ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ବ୍ୟାଙ୍କକ, ସିଙ୍ଗାପୁର ଓ ଆବୁଧାବିକୁ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏଥିସହ ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ପ୍ରତି ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ପ୍ରଦୀପ ସିଂ ଖୋରଲା, ଯୁଗ୍ମ ସଚିବ ଉଷା ପାଢ଼ୀ, ଏଏଆଇ ଅଧ୍ୟକ୍ଷ ଅରବିନ୍ଦ ସିଂହ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ସମେତ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।











