କେନ୍ଦ୍ର ନିଜ ପକ୍ଷ ରଖନ୍ତୁ, ପରେ ‘ସିଏଏ’ ଶୁଣାଣି: ଏସ୍‌ସି

ନୂଆଦିଲ୍ଲୀ(ଓଟି): ସିଏଏ, ଏନଆରସି ଏବଂ ଏନପିଆର୍‌କୁ ନେଇ ବିବାଦ ଥମିବାର ନାଁ ଧରୁନି। ବିଭିନ୍ନ କୋର୍ଟରେ ଏ ସମ୍ପର୍କିତ ବହୁ ସଂଖ୍ୟକ ମାମଲା ହୋଇଛି। ଅନୁରୂପ ଭାବେ ସମର୍ଥନ ଓ ବିପକ୍ଷ ଆଧାରରେ ଦେଶର ସର୍ବୋଚ୍ଚ ଅଦାଲତରେ ମଧ୍ୟ ଅନେକ ଆବେଦନ ରହିଛି। ଏଭଳି ସନ୍ଧିକ୍ଷଣରେ ସୁପ୍ରିମକୋର୍ଟ ଆଜି କିଛି ତଥ୍ୟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ନୋଟିସ ଦିଆଯାଇଥିବାବେଳେ ନିଜ ପକ୍ଷ ରଖିବା ପରେ ଶୁଣାଣି କରାଯିବ ବୋଲି କୁହାଯାଇଛି। ତେବେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ କୌଣସି ହାଇକୋର୍ଟ ଏନେଇ ଶୁଣାଣି କରିପାରିବେନି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡ଼େ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ୍‌ ବୋବଡ଼େ କହିଛନ୍ତି ଯେ କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ପକ୍ଷ ରଖିବା ପାଇଁ ନୋଟିସ୍‌ କରାଯାଇଛି। ତେବେ ପୂର୍ବୋତ୍ତର ରାଜ୍ୟ ପାଇଁ ସ୍ଵତନ୍ତ୍ର ଶୁଣାଣି ହେବାକୁ ଥିବାରୁ ଏଥିପାଇଁ କେନ୍ଦ୍ରକୁ ୨ ସପ୍ତାହ ସମୟ ଦିଆଯାଇଛି। ଏକ ୫ଜଣିଆ ଖଣ୍ଡପୀଠ ସିଏଏ ସମ୍ପର୍କିତ ଶୁଣାଣି କରିବେ। ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଲ ନିଜ ପକ୍ଷ ରଖିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପ୍ରାଥମିକ ସତ୍ୟପାଠ ପ୍ରସ୍ତୁତ ହୋଇଥିବାବେଳେ ତାହା ଆଜି ଦାଖଲ ହେବ କିନ୍ତୁ ଏଥିପାଇଁ ସରକାରଙ୍କୁ ଆବଶ୍ୟକ ସମୟ ଦିଆଯାଇନି। ଏହାର ଜବାବରେ ପ୍ରତିପକ୍ଷ କପିଲ ଶିବଲ ପୂର୍ବରୁ କେନ୍ଦ୍ରକୁ ୪ ସପ୍ତାହ ଦିଆଯାଇଥିବାରୁ ତୁରନ୍ତ ସିଏଏ ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ। କିନ୍ତୁ କୋର୍ଟ ତାହା ଗ୍ରହଣ କରିନଥିଲେ। କେନ୍ଦ୍ରର ପକ୍ଷ ରହିବା ପରେ ହିଁ ଶୁଣାଣି ହେବ ବୋଲି ସ୍ପଷ୍ଟ କରାଯାଇଥିଲା।

ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ସିଏଏ ସମ୍ପର୍କିତ ସମସ୍ତ ଆବେଦନର ଶୁଣାଣି ହେବ କିନ୍ତୁ ସମ୍ପ୍ରତି ଦେଶ ସମସ୍ୟା ଦେଇ ଗତି କରୁଛି ଏବଂ ପ୍ରଥମେ ଆନ୍ଦୋନଳ ଓ ବିକ୍ଷୋଭ ବନ୍ଦହୋଇ ଶାନ୍ତି ପ୍ରତିଷ୍ଠା ଜରୁରୀ।

Leave a Reply

Your email address will not be published. Required fields are marked *