ସୁରାଟକୁ ଉଡ଼ିଲା ଜାହାଜ
ଭୁବନେଶ୍ୱର(ଓଟି): ଭୁବନେଶ୍ୱରରୁ ସୁରାଟକୁ ଆଜି ଜାହାଜ ଉଡ଼ିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଆଜି ୮୧ ଜଣ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ରେ ସୁରାଟ ଅଭିମୁଖେ ଉଡାଣ କରିଥିଲା। ସପ୍ତାହର ସୋମବାର ଓ ଗୁରୁବାର ଭୁବନେଶ୍ୱର-ସୁରାଟ ଏବଂ ଶୁକ୍ରବାର ଓ ରବିବାର ସୁରାଟ-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ। ଅନ୍ୟପକ୍ଷରେ ଏନେଇ ଖୁସି ବ୍ୟକ୍ତ କରିବା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ସୁରାଟକୁ ବିମାନ ଉଡ଼ାଣ ଦାବି ପୂରଣ ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଖୁବ୍ଶୀଘ୍ର ଭୁବନେଶ୍ୱରରୁ ସିଧାସଳଖ ବାରଣାସୀକୁ ବିମାନ ସେବା ଆରମ୍ଭ ହେବ। ଫେବ୍ରୁଆରୀ ୨୯ରୁ ଉକ୍ତ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।