ଦଫାର ଦୋଛକିରେ ପରବିନ୍ଦର!

ରାଜଧାନୀର ରାଜରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । କିଏ ମାରିଲା, କାହିଁକି ମାରିଲା, କେମିତି ମାରିଲା ଓ କଣ ପାଇଁ ମାରିଲା ???
କିଛି ଏମିତି ପ୍ରଶ୍ନକୁ ଗଣମାଧ୍ୟମଠୁ ଆରମ୍ଭ କରି ସ୍ମାର୍ଟସିଟିର ଗଳି କନ୍ଦିରେ ତର୍ଜମା । ଆଲୋଚନାର ବିଷୟ ଏହା ଯେ, ଜଣେ ବ୍ୟକ୍ତିଙ୍କୁ ମାଡ ହୋଇଛି, ଟିଭି ଚ୍ୟାନେଲରେ ଏହାର ଜୀବନ୍ତ ଦୃଶ୍ୟ ମଧ୍ୟ ପ୍ରସାରିତ ହୋଇସାରିଛି । ବୁଦ୍ଧିଜୀବୀ, ରାଜନୀତିକ ନେତା ତଥା ଯୁବାଗୋଷ୍ଠୀ ଏହାକୁ ନେଇ ଅନେକ ଆଲୋଚନା କରିଛନ୍ତି । ଗଣାମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚା ହୋଇଛି ଏହି ଖବରକୁ ନେଇ । ହେଲେ ପୁଲିସଉପରେ ଏହାର କୌଣସି ପ୍ରଭାବ ପଡ଼ିପାରି ନାହିଁ!
ପୁଲିସ ଉପସ୍ଥିତିରେ ଏହି ବ୍ୟକ୍ତିଙ୍କୁ ମାଡ ହୋଇଥିଲା । କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପରବିନ୍ଦରଙ୍କ ଅଭିଯୋଗକୁ ଅପେକ୍ଷା କରାଗଲା । ଅବଶ୍ୟ ଏହା ଠିକ୍‍ ଯେ ଏଫ୍‍ଆଇଆର୍‍ ଦାଖଲ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଗଲା । କିନ୍ତୁ ଘଟଣାର ଗୁରୁତ୍ୱ ସେତେବେଳେ ବଢିଗଲା, ଯେତେବେଳେ ଅଭିଯୁକ୍ତମାନଙ୍କୁ ଅମିଳମ୍ବେ ଜାମିନ ମିଳିଗଲା ।, ଲାଗିଲା ଯେମିତି ଏମିତି କିଛଇ ଅଭିଯୋଗ ତାଙ୍କ ବିପକ୍ଷରେ ଆସିବ, ଆଉ ସେମାନେ ପୁଲିସଠୁ ଆରମ୍ଭ କରି କୋର୍ଟ, କଚେରୀକୁ ପକେଟ୍‍ରେ ଧରି ବୁଲୁଥିଲେ!
ପରବିନ୍ଦରଙ୍କ ଯୁକ୍ତି ହେଲା, ଅଭିଯୁକ୍ତମାନେ ଯେଉଁ ଅପରାଧ ଘଟାଇଥିଲେ , ସେମାନଙ୍କ ଲାଗି ଏହି ଦଫା ଯଥେଷ୍ଟ ନଥିଲ।। ତେଣୁ ଆଇନର ଅଳିନ୍ଦ ଭିତରେ ଏବେ ନ୍ୟାୟ ଖୋଜୁଛନ୍ତି ପରବିନ୍ଦର । ଦଫା କିଏ ଲଗାଇଲା, କାହିଁକି ଏପରି ଦଫା ଲଗାଇଲା, ଏବଂ ଏଫଆଇଆରରେ କଣ ଲେଖାଥିଲା, କିଏ ଲେଖିଥିଲା ଏସବୁ ପ୍ରଶ୍ନ ଉଠିଲା । ଜଣେ ମାଡ ଖାଇ ଲହୁଲୁହାଣ, ସେପଟେ ଖୁଲମଖୁଲା ଆଇନର ଫାଶରୁ ଖସିଗଲେ ଅପରାଧୀ । ହଠାତ ଆଇନର ଏହି ବ୍ୟବସ୍ଥା ଏବଂ ଦଫାର ଦରଦକୁ ବୁଝିପାରିଲେନି ପରବିନ୍ଦର । ଆଖିରୁ ଲୁହ ବାହାରୁଛି, ପୋଲିସ ବ୍ୟବସ୍ଥା ଉପରେ ବିଶ୍ୱାସ ନାହିଁ, କିଛି ଏମିତି କହି ଓଡିଶା ଛାଡିବା କଥା କହୁଛନ୍ତି ପରବିନ୍ଦର । ଏସବୁ ଭିତରେ ଗୋଟିଏ କଥା ସାମନାକୁ ଆସୁଛି, ଆମ ଆଇନ ବ୍ୟବସ୍ଥା କଣ ଏତେ କମଜୋର?
ପରବିନ୍ଦରଙ୍କ ସହ ଯେଉଁ ଘଟଣା ଘଟିଛି, ସେନେଇ ଯାହା ଦଫା ଲାଗିଛି, ତାକୁ କଣ ଦଫା ଲଗାଇଥିବା ବ୍ୟକ୍ତି ଜଣଙ୍କ ବୁଝିପାରିଲେନି ନା ଜାଣିଶୁଣି ଏପରି ଦଫା ଲଗାଇଛନ୍ତି, ଯାହା ଅପରାଧୀଙ୍କୁ ଖସିବାରେ ସହାୟକ ହେବ?
ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ଅପରାଧୀଙ୍କ ସହିତ ପୋଲିସର କିଛି ସମ୍ପର୍କ ରହିଛି କି ? କାରଣ ପୋଲିସ ଉପସ୍ଥିତିରେ ଘଟିଥିଲା ଏହି ଘଟଣା । ପୋଲିସ ଚାହିଁଥିଲେ ରୋକିପାରିଥାନ୍ତା ଏହି ଘଟଣା । ପୋଲିସ ସେତିକି ଚଂଚଳତା ଦେଖାଇଲା ନାହିଁ କାହିଁକି? ଏହା ନ୍ୟାୟିକ ବ୍ୟବସ୍ଥା ଏବଂ ପୋଲିସ ପ୍ରଶାସନ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଖିର ଦରଜ କମିନଥିବା ସମୟରେ ପରବିନ୍ଦର ଦାଙ୍କ ଉପକରକୁ ଆକ୍ରମଣକାରୀଙ୍କ ଉପରେ ଲାଗିଥିବା ଦଫାକୁ ବୁଝିବା ଲାଗି ସାହସ ଜୁଟାଇବା କିଛି କମ କଥା ନୁହେଁ । ହେଲେ ତାଙ୍କ ଦରଦ ବୁଝିବ ବା କିଏ?
ଏଭଳି ସମୟରେ ଦଫାର ଦୋଛକିରେ ପଡିଯାଇଛନ୍ତି ପରବିନ୍ଦର । ମନରୁ ଭରସା ତୁଟିନି । ଏବେ ବି ଅନେଇ ବସିଛନ୍ତି ନ୍ୟାୟ ମିଳିବ!
ଏହା ଠିକ୍‍ ଯେ, ତାଙ୍କ ପାଇଁ କ୍ୟାଣ୍ଡେଲ ର‌୍ୟାଲି ବି ବାହାରୁଛି । ସମର୍ଥନ ଓ ସମବେଦନର ସ୍ୱର ବି ଉଠୁଛି । କିନ୍ତୁ ଏ ସବୁ କଣ ଆମ ବ୍ୟବସ୍ଥା ଭିତରେ ପରବିନ୍ଦରଙ୍କୁ ନ୍ୟାୟ ଦେଇପାରିବ?

Leave a Reply

Your email address will not be published.