ଟାଟା ଗ୍ରୁପ୍ ଓ ସାଇରସ୍ ମିସ୍ତ୍ରୀ ପ୍ରସଙ୍ଗ ଆରଓସି ପିଟିସନ୍ ଖାରଜ
ନୂଆଦିଲ୍ଲୀ: କିଛିଦିନ ଧରି ଟାଟା ଗ୍ରୁପ୍ ଓ ଏହାର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପ୍ରତି ନୂଆ ମୋଡ଼ ନେଇଛି । ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦବୀରୁ ମିସ୍ତ୍ରୀଙ୍କୁ ହଟାଇବା ଏବଂ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ ବେଆଇନ ଦର୍ଶାଇବା ସହ ତାଙ୍କୁ ପୁଣି ନିଯୁକ୍ତି ଦେବାକୁ ଗତ ଡିସେମ୍ବର ୧୮ରେ ନିର୍ଦ୍ଦେଶ ଦେଇଥିଲେ ।
ତେବେ ରେଜିଷ୍ଟ୍ରର୍ ଅଫ୍ କମ୍ପାନିଜ୍ (ଆରଓସି) ପକ୍ଷରୁ ଏନ୍ସିଏଏଲ୍ଟି ନିକଟରେ ଏକ ପିଟିସନ୍ ଦାଏର କରାଯିବା ସହିତ କର୍ତ୍ତୃପକ୍ଷ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା । କିନ୍ତୁ ଏନ୍ସିଏଏଲଟି ଏହାକୁ ଅଗ୍ରାହ୍ୟ କରିଦେବା ସହିତ ତାଙ୍କ ରାୟର ପୁନର୍ବିଚାର କରିବା ଅନାବଶ୍ୟକ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଟାଟା ଗ୍ରୁପ୍ର ମୁଖ୍ୟ ପଦବୀରେ ପୁନର୍ବାର ଅଧିଷ୍ଠିତ ହେବା ନେଇ ସାଇରସ୍ ମିସ୍ତ୍ରୀ ପୂର୍ବରୁ ଯେଭଳି ଆଗ୍ରହ ପ୍ରକାଶ କରୁଥିଲେ ବର୍ତ୍ତମାନ ସେ ଏହି ଲକ୍ଷ୍ୟରୁ ଓହରିଯିବାକୁ ଚାହୁଁଛନ୍ତି ବୋଲି କେତେକ ସ୍ତରରେ କୁହାଯାଉଛି ।
ଟାଟା ଗ୍ରୁପ୍ର ଉତ୍ତମ କର୍ପୋରେଟ୍ ଗଭର୍ଣ୍ଣାସ୍ ପାଇଁ ସାଇରସ୍ ମିସ୍ତ୍ରୀ ମନୋନୀତ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିପାରନ୍ତି ବୋଲି ପୂର୍ବରୁ ସୂଚନା ମିଳିଥିଲା । ମିସ୍ତ୍ରୀଙ୍କୁ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦବୀରୁ ହଟାଯିବା ଘଟଣା ମାମଲାରେ ଏନ୍ସିଏଲଏଟିର ରାୟ ମିସ୍ତ୍ରୀଙ୍କ ସପକ୍ଷରେ ଯାଇଥିଲେ ମଧ୍ୟ ସେ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଇଛୁକ ନୁହନ୍ତି ବୋଲି କେତେକ ମହଲରେ ଚର୍ଚ୍ଚା ହୋଇଥିଲା । ଫଳରେ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ନେଇ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।