କଳାଧନ ଜାଲିଆତି: ସିବିଆଇ ପଞ୍ଝାରେ ୫୧ ସଂସ୍ଥା
ନୂଆଦିଲ୍ଲୀ: କେବଳ ୨୦୧୪-୧୫ ଆର୍ଥିକ ବର୍ଷରେ ୧୦୩୮ କୋଟିର କଳାଧନ ଜାଲିଆତି କରାଯାଇଥିବା ଜଣାପଡ଼ିଛି। ଉକ୍ତ ଟଙ୍କା ଭାରତରୁ ହଂକଂ ପଠାଯାଇଥିବା ଘଟଣାରେ ସିବିଆଇ ପକ୍ଷରୁ ଖୋଳତାଡ଼ କରାଯାଇଛି । ଏଥିରେ ସିବିଆଇ ପଞ୍ଝାରେ ୫୧ଟି ସଂସ୍ଥା ରହିଛନ୍ତି ଏବଂ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ସର୍ବାଧିକ ଭାବେ ଚେନ୍ନାଇ ବାସିନ୍ଦା ଏହି ସମସ୍ତ ସଂସ୍ଥାର ମାଲିକ ବୋଲି ଜଣାପଡ଼ିଛି । ସେମାନଙ୍କ ଦ୍ୱାରା ଉପରୋକ୍ତ ପରିମାଣର ଆୟ ବହିର୍ଭୁତ ଅର୍ଥକୁ ବିଭିନ୍ନ ଅନୈତିକ ଉପାୟରେ ହଂକଂ ପଠାଯାଇଥିବାବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କେତେକ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବା କୁହାଯାଇଛି । ଏହିସବୁ ସଂସ୍ଥାମାନଙ୍କ ପକ୍ଷରୁ ୪୮ଟି ସଂସ୍ଥା ଉପରୋକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ୪ଟି ଶାଖାରେ ୫୧ଟି କରେଣ୍ଟ ଆକାଉଣ୍ଟ୍ ଖୋଲି ୧୦୩୮ କୋଟି ବିଦେଶକୁ ପ୍ରେରଣ କରିଛନ୍ତି ବୋଲି ସିବିଆଇ ଜାଣିବାକୁ ପାଇଛି ।