ଭାଇଚାରାର ବିରଳ ନିଦର୍ଶନ: ମସଜିଦରେ ହେବ ହିନ୍ଦୁ ବିବାହ


ଅଲପୁଝା(କେରଳ): ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଆମେ ଭାରତୀୟ । ବିବିଧା ଭିତରେ ସଂହତି ଏହାର ଅପୂର୍ବ ନିଦର୍ଶନ। ବିଶ୍ୱରେ ଏଭଳି ଅନନ୍ୟ ମାନବୀୟ ମୂଲ୍ୟବୋଧ ପାଇଁ ଭାରତର ରହିଛି ସ୍ୱତନ୍ତ୍ର ସୁନାମ ତଥା ପରିଚୟ । ଏଭଳି ଏକ ଅପୂର୍ବ ତଥା ବିରଳ ଉଦାହରଣ ପୁଣି ସୃଷ୍ଟି ହେବାକୁ ଯାଉଛି । ତାହା ହେଲା କେରଳର ଏକ ମସଜିଦ୍ରେ ହିନ୍ଦୁ ରୀତିନୀତି ଅନୁସାରେ (ହିନ୍ଦୁ) ବିବାହ କାର୍ଯ୍ୟ କରାଯିବ । ଚେରୁବଲ୍ଲି ମୁସଲିମ୍ ଜମାତ ମସିଜିଦ୍ ପରିସରରେ ଆସନ୍ତା ୧୯ ତାରିଖରେ ବିନ୍ଦୁ ଓ ସ୍ୱର୍ଗତ ଅଶୋକନଙ୍କ ଝିଅ ଅଞ୍ଜୁଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ୨୦୧୮ରେ ଅଶୋକନଙ୍କ ମୃତ୍ୟୁ ପରେ ଆର୍ଥିକ ଅସହାୟତା ଦେଇ ଗତି କରୁଥିବା ସମ୍ପୃକ୍ତ ଗରିବ ପରିବାର ଝିଅର ବିବାହ ପାଇଁ ମସଜିଦ୍ ସମିତିର ସହାୟତା ଲୋଡ଼ିଥିଲେ ।


ସମିତିର ସଚିବ ନୁଜୁମୁଦ୍ଦିନ୍ ଅଲୁମୁଟ୍ଟିଲ୍ କହିଛନ୍ତି ଯେ ସମିତି ପକ୍ଷରୁ ଅଞ୍ଜୁଙ୍କୁ ୧୦ ତୋଳା ସୁନା ଏବଂ ୨ ଲକ୍ଷ ଟଙ୍କା ବିବାହ କାର୍ଯ୍ୟ ପାଇଁ ପ୍ରଦାନ କରିବ । ଏଥିସହ ପ୍ରାୟ ହଜାରେ ଲୋକଙ୍କ ପାଇଁ ଭୋଜି ବା ଭୋଜନ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ ବିବାବ ପାଇଁ ସମ୍ମତି ଦେଇଥିବା ଶରତ ଶଶୀଙ୍କ ସହ ଅଞ୍ଜୁଙ୍କ ଶୁଭପରିଣୟ ୧୯ ଜାନୁଆରୀ ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ମସଜିଦ୍ ପରିସରରେ ହେବ । ସମ୍ପୃକ୍ତ ପରିବାରର ଅନୁରୋଧ କ୍ରମେ ବିବାହ କାର୍ଯ୍ୟ ଆୟୋଜନ କରାଯାଉଥିବା ବେଳେ ସମସ୍ତେ ଉକ୍ତ ଶୁଭ ସମାରୋହରେ ସାମିଲ ହେବାକୁ ମଧ୍ୟ ସମିତିର ସଚିବ ଅନୁରୋଧ ଜଣାଇଛନ୍ତି ।

ମାଲାୟାଲାମରେ ଲିଖିତ ନିମନ୍ତ୍ରଣପତ୍ର

Leave a Reply

Your email address will not be published. Required fields are marked *