ପୁରୀରେ ନୂଆବର୍ଷ ଭିଡ଼: ସନ୍ଧ୍ୟା୬ଟାରେ ସ୍ଵତନ୍ତ୍ର ପାସେଞ୍ଜର ଟ୍ରେନ୍
ଭୁବନେଶ୍ଵର, (ଓଟି): ନୂଆବର୍ଷରେ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀଷ ନେବା ତଥା ବର୍ଷର ପ୍ରଥମ ଦିନକୁ ସ୍ମରଣୀୟ କରିବା ଲାଗି ପୁରୀକୁ ଲକ୍ଷାଧିକ ଲୋକଙ୍କ ଆଗମନ ହୋଇଛି। ଏହି ସମୟରେ କିନ୍ତୁ ଯୋଗାଯୋଗରେ ଅସୁବିଧା ଦେଖାଯାଇଛି। ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପୁରୀରୁ ଯାତ୍ରୀଙ୍କୁ ପ୍ରସ୍ଥାନ ପାଇଁ କୌଣସି ସ୍ଵତନ୍ତ୍ର ଯୋଜନା କରାଯାଇ ନଥିବାରୁ ଯାତ୍ରୀ ବସ୍ରେ କିମ୍ବା ଘରୋଇ ଟ୍ୟାକ୍ସିରେ ବଡ଼ ହୀନସ୍ତା ହୋଇ ଯାତ୍ରା କରୁଛନ୍ତି। ଏପରିକି ଷ୍ଟେସନ୍ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
ଏହି ଅସୁବିଧାକୁ ଦୂର କରିବା ଲାଗି ପୁରୀରୁ ବ୍ରହ୍ମପୁର ଯାଏ ଏକ ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି ପୂର୍ବତଟ ରେଳବାଇ। ସନ୍ଧ୍ୟା ୬ଟା ଏହି ଟ୍ରେନ୍ ପୁରୀରୁ ଛାଡ଼ିବ। ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲଟ ମାନଙ୍କରେ ରହଣି କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।