ନାଗରିକତ୍ୱ ଆଇନ: ସିପିଆଇଏମ୍‍ଏଲ୍‍ର ବିକ୍ଷୋଭ; ମୋଦି,ଶାହ, ନବୀନଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, (ଓଟି): ନୂଆ ନାଗରିକତ୍ୱ ଆଇନ ଏବଂ ନାଗରିକ ପଞ୍ଜିମା ବିରୋଧରେ ସ୍ୱର ଉତ୍ତୋଳନ କରିଛି ସିପିଆଇ ଏମ୍‍ଏଲ୍‍ । ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ଦୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।


ଦଳ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଆର୍ôଥକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧି, ଶିକ୍ଷାର ଫି ବୃଦ୍ଧି, ବେକାରୀ, କର୍ମଚାରୀ ଛଟେଇ, ମହିଳାଙ୍କ ବିରୁଦ୍ଧରେ ହିଂସା, କର୍ପୋରେଟ୍ ସ୍ୱାର୍ଥରେ ମୂଳ ଅଧିବାସୀଙ୍କୁ ବାସଚ୍ୟୁତ, ରେଳବାଇ ସମେତ ଦେଶର ରାଷ୍ଟ୍ରୀୟ ସମ୍ପତ୍ତି ତଥା ଲାଭଜନକ ସଂସ୍ଥାଗୁଡ଼ିକୁ ଘରୋଇ ମାଲିକାନା ହାତକୁ ହସ୍ତାନ୍ତର ଆଦି ଜନବିରୋଧୀ ପଦକ୍ଷେପ ବାବଦରେ ଅସନ୍ତୋଷ ବ୍ୟାପୁଥିବାବେଳେ କେନ୍ଦ୍ର ସରକାର ସେଥିରୁ ଧ୍ୟାନଚ୍ୟୁତ କରିବା ପାଇଁ ଏପରି ଆଇନ ଆଣିଛନ୍ତି ।

ଜାତୀୟ ନାଗରିକ ପଞ୍ଜିକା ଓ ନାଗରିକତ୍ୱ ସଂଶୋଧନ ଆଇନ ୨୦୧୯ ଭଳି ଦେଶ ବିଭାଜନକାରୀ ଏବଂ ସମ୍ବିଧାନ, ଧର୍ମ ନିରପେକ୍ଷ ଓ ଗଣତନ୍ତ୍ର ହତ୍ୟାକାରୀ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛି । ଏହି ଆଇନକୁ ଆମ ରାଜ୍ୟ ନବୀନ ସରକାର ସମର୍ଥନ ଦେବା ନିନ୍ଦନୀୟ । ଏହି ଜନବିରୋଧୀ ଆଇନର ପ୍ରତ୍ୟାହାର ପାଇଁ ସଂଗ୍ରାମ କରୁଥିବା ଛାତ୍ର ଓ ପ୍ରତିବାଦକାରୀଙ୍କ ଉପରେ ମୋଦୀ-ଅମିତ ସାହାର ପୋଲିସ ବର୍ବର ଆକ୍ରମଣ କରିଛନ୍ତି । ବିନାଅନୁମତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ନାରକୀୟ କାଣ୍ଡ ଭିଆଇଛନ୍ତି। ଏପରିକି ପୋଲିସ ବେଶରେ ଏବିଭିପି ଓ ଆର୍ଏସ୍ଏସର କର୍ମୀମାନେ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରୁଥିବାର ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସୁଛି । ଏଭଳି ଜଘନ୍ୟ ଆଇନ ଓ ଆକ୍ରମଣ ପ୍ରତିବାଦରେ ସିପିଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ପକ୍ଷରୁ ଭୁବନେଶ୍ୱର ଜୟଦେବ ବିହାର ଛକ ଠାରେ ପ୍ରତିବାଦ ବିକ୍ଷୋଭ କରାଯିବା ସହିତ ମୋଦୀ-ଅମିତ ଶାହା ଏବଂ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜେଡିର ଦୋମୁହାଁ ଓ ଛଳନାକାରୀ ନୀତିର ତୀବ୍ର ନିନ୍ଦା କରାଯିବା ସହିତ ଏଭଳି ଜନବିରୋଧୀ ଆଇନକୁ କିଭଳି ସେମାନେ ସଂସଦରେ ସମର୍ଥନ ଦେଇଥିଲେ ଓଡ଼ିଶାବାସୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି ବିକ୍ଷୋଭର ନେତୃତ୍ୱ ନେଉଥିବା ସିପିଆଇ(ଏମ୍-ଏଲ୍) ରେଡ୍ ଷ୍ଟାରର ରାଜ୍ୟ ସମ୍ପାଦକ ଶିବରାମ କହିଛନ୍ତି ।
ପ୍ରକାଶଯୋଗ୍ୟ ଆଜି ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଉଅଛି । ପାର୍ଟି ଓଡ଼ିଶା ରାଜ୍ୟ କମିଟି ଡ଼ାକରାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅଞ୍ଚଳରେ ମଧ୍ୟ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଏହି ବିକ୍ଷୋଭରେ ବିଭିନ୍ନ ବାମପନ୍ଥୀ ବୁଦ୍ଧିଜୀବି, ଗଣତାନ୍ତ୍ରିକ ପ୍ରଗତିଶୀଳ ଶକ୍ତି ଏବଂ ଶ୍ରମିକ ନେତା, ବସ୍ତି ନେତା, ମହିଳା ନେତ୍ରୀ, ଛାତ୍ରନେତା ଓ ଶତାଧିକ ପ୍ରତିବାଦକାରୀ ଯୋଗ ଦେଇଥିଲେ । ସର୍ବଶ୍ରୀ ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁକାନ୍ତି ମହନ୍ତ, ରାକେଶ, ସୁବଳ ଚରଣ ସାହୁ, ବଟକୃଷ୍ଣ ରାଉତ, ଗୋପିନାଥ ନାୟକ, ଚିତ୍ତ ରଞ୍ଜନ ସାଇଁ, ଅଜିତ କୁମାର ଜେନା, ବିଚିତ୍ର କୁମାର ପାତ୍ର, ରଞ୍ଜନ ମିଶ୍ର, ବିକ୍ରମ ସାହୁ ଆଦି ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *