ତାଳଚେର-ବିମଳାଗଡ଼ ରେଳଲାଇନ୍: ସୁନାଖଣିଯାଏ ଗଡ଼ିବ ଟ୍ରେନ
ଭୁବନେଶ୍ଵର, (ଓଟି): ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳ ଲାଇନର ତାଳଚେର-ସୁନାଖଣି ମଧ୍ୟରେ ରେଳ ଲାଇନ୍ କାର୍ଯ୍ୟ ଶେଷ ହୋଇଛି। ଏହା ଉପରେ ପରୀକ୍ଷାମୂଳକଭାବେ ହାଲୁକା ଟେଅନଥ ଚଳାଚଳ ଆରମ୍ଭ ହେବ । ୨୨ ତାରିଖ ଦିନ ଏହି ପରୀକ୍ଷାମୂଳକ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪୯ କି.ମି. ଦୀର୍ଘ ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳପଥର ତାଳଚେର ଓ ସୁନାଖଣି ଷ୍ଟେସନ ମଧ୍ୟରେ ୨୦ କି.ମି. ରେଳପଥ ନିର୍ମାଣ ଶେଷ ହୋଇଯାଇଅଛି। ଏହା ରେଳବାଇ ସୁରକ୍ଷା ଆୟୁକ୍ତଙ୍କ ନିରୀକ୍ଷଣ ସହିତ ଅନୁମୋଦନ ପରେ କାର୍ଯ୍ୟକ୍ଷମ କରାଯିବ। ଆସନ୍ତା ୨୨ ତାରିଖରେ ରେଳସୁରକ୍ଷା ଆୟୁକ୍ତ ଏ. କେ.ରାଇ ତାଳଚେର ଠାରୁ ସୁନାଖଣି ପର୍ଯ୍ୟନ୍ତ ରେଳ ଲାଇନ ନିରୀକ୍ଷଣ କରିବା ସହିତ ଏହି ନୂତନ ନିର୍ମିତ ରେଳ ଲାଇନରେ ପରୀକ୍ଷାମୂଳକ ଭାବେ ଲାଇଟ ରେଳ ଇଞ୍ଜିନର ସ୍ପିଡ଼ ଟ୍ରାଏଲ କରାଇବେ।
କଲିକତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳବାଇ ସଂରକ୍ଷା ଆୟୁକ୍ତ ଶ୍ରୀ ଏ. କେ.ରାଇ ଆସନ୍ତା ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିଦର୍ଶନରେ ଆସି ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳ ଲାଇନର ତାଳଚେର-ସୁନାଖଣି ମଧ୍ୟରେ ରେଳ ଲାଇନ୍କୁ ନିରୀକ୍ଷଣ କରିବା ସହିତ ଯୁଜୁମୁରା-ଚାରମାଳ ଏବଂ ଦେଓଗାଁ-ସଇଁତଳା ଦୋହରୀକରଣ କାର୍ଯ୍ୟର ମଧ୍ୟ ନିରୀକ୍ଷଣ କରିବେ I ରେଳବାଇ ସଂରକ୍ଷା ଆୟୁକ୍ତଙ୍କ ସହିତ ପୂର୍ବତଟ ରେଳପଥ ନିର୍ମାଣ ବିଭାଗର ମୁଖ୍ୟ ପ୍ରଶାସନିକ ଅଧିକାରୀ, ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ସହିତ ସିଭିଲ, ଇଲେକ୍ଟ୍ରିକାଲ ଓଏବଂ ସଂକେତ ଓ ଦୂରସଂଚାର ବିଭାଗର ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ I
ସୁନ୍ଦରଗଡ଼, ଦେଓଗଡ଼ ଓ ଅନୁଗୁଳ ଜିଲ୍ଲା ମଧ୍ୟଦେଇ ୧୪୯ କି.ମି. ଦୀର୍ଘ ତାଳଚେର-ବିମଳାଗଡ଼ ନିର୍ମାଣାଧୀନ ନୂତନ ରେଳ ଲାଇନ ପାଇଁ ପ୍ରାୟ ୧୯୨୮ କୋଟି ତାଙ୍କ ଖର୍ଚ୍ଚ କରାଯିବାକୁ ଥିବାବେଳେ ଏହା ଭୁବନେଶ୍ୱର ଠାରୁ ରାଉରକେଲାକୁ ଦୂରତ୍ବକୁ ପ୍ରାୟ ୧୦୦ କି.ମି. କମାଇପାରିବ I ଏବେ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର ରୁ ରାଉରକେଲା ଦୂରତ୍ୱ ପ୍ରାୟ ୪୬୨ କି.ମି. ଅଟେ।
ଏହା ବ୍ୟତୀତ ରେଳବାଇ ସଂରକ୍ଷା ଆୟୁକ୍ତ ୨୩ ତାରିଖ ଦିନ ଅନୁଗୁଳ-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଯୁଜୁମୁରା ଠାରୁ ଚାରମାଳ ପର୍ଯ୍ୟନ୍ତ ଏବଂ ୨୪ ତାରିଖ ଦିନ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ କାର୍ଯ୍ୟର ଦେଓଗାଁ ଠାରୁ ସଇଁତଳା ଷ୍ଟେସନ ମଧ୍ୟରେ ନିରୀକ୍ଷଣ କରିବେ I
ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନ ପାଇବା ପର୍ଯ୍ୟନ୍ତ ତାଳଚେର ଠାରୁ ସୁନାଖଣି ମଧ୍ୟରେ ନୂତନ ରେଳ ଲାଇନ ରେ ଟ୍ରେନ କିମ୍ବା ଟ୍ରେନ ଇଞ୍ଜିନର ପରୀକ୍ଷାମୂଳକ ଚଳାଚଳ ଚାଲୁରହିବ I ଏହି ଅଞ୍ଚଳ ର ସାଧାରଣ ଜନତା ରେଳ ଲାଇନ ଠାରୁ ଦୁରେଇ ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଥିବାବେଳେ ନିକଟସ୍ଥ ସାଧାରଣ ଜନତା ସେମାନଙ୍କ ଗୃହପାଳିତ ପଶୁ କିମ୍ବା ଅନ୍ୟ ପଶୁମାନଙ୍କୁ ରେଳ ଲାଇନ ପାଖକୁ ନଛାଡିବାକୁ ପରାମର୍ଶ ଦିଆଯାଇଅଛି ଯାହାଦ୍ୱାରା କୌଣସି ଅଘଟଣ କିମ୍ବା ଦୁର୍ଘଟଣା କୁ ଦୂର କରିହେବ I