ସାହସ ଓ ବୁଦ୍ଧିର କରାମତି: କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ବ୍ରଜ
କେନ୍ଦ୍ରାପଡା଼, (ପ୍ରଦୀପ କୁମାର ଜେନା): ଅନ୍ଧାର ଶିତୁଆ ସନ୍ଧ୍ୟାରେ କୁମ୍ଭୀର ସଙ୍ଗେ ଏକୁଟିଆ ଲଢ଼ି ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇଥିବା ଖବର କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚା ହୋଇଛି । ଘଟଣା ଘଟିଛି ଜିଲ୍ଲାର ମହାକଳପଡ଼ା ବ୍ଲକ ଦେଉଳିପଡ଼ା ଗ୍ରାମରେ । ଏହି ଗ୍ରାମର ବ୍ରଜକିଶୋର ପ୍ରଧାନ ନିଜର ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇ ଏକ ବିଶାଳ କୁମ୍ଭୀର ମୁହଁରୁ ନିଜ ଜୀବନ ବଞ୍ଚାଇପାରିଛନ୍ତି । ଏଭଳି ଲୋମଟାଙ୍କୁରା କାହାଣୀ ଶୁଣିଲେ ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ କଥାଟି ସତ ।
ବ୍ରଜ କିଶୋର ମଙ୍ଗଳବର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସବୁଦିନ ପରି ଗାଁ ପାଖ ଦେଇ ବହି ଯାଇଥିବା ଗୋବରୀ ନଦୀକୁ ମାଛ ଧରିବା ପାଇଁ ଜାଲ ନେଇଯାଇଥିଲେ । ବ୍ରଜ ନଈର ମଙ୍ଗଳା ଘାଟର ପାହାଚ ଉପରେ ଠିଆ ହୋଇ ଜାଲ ପକାଇବା ଆରମ୍ଭ କରିବା ପରେ ନଈରେ ଥିବା ଏକ କୁମ୍ଭୀର ବ୍ରଜଙ୍କ ଗୋଡ଼କୁ ହଠାତ ଆକ୍ରମଣ କରିଥିଲା ଏ । କୁମ୍ଭୀର ବ୍ରଜଙ୍କ ଗୋଡ଼କୁ କାମୁଡ଼ି ନଈ ଭିତରକୁ ଟାଣି ନେବାକୁ ଆରମ୍ଭ କରିଥିଲା । କୁମ୍ଭୀର ଆକ୍ରମଣରେ ବ୍ରଜ ଡରି ନଯାଇ ଅନ୍ୟ ଏକ ଗୋଡ଼ରେ କୁମ୍ଭୀରକୁ ଶକ୍ତ ଗୋଇଠା ମରିଥିଲେ । ଏହାସାତ୍ତ୍ୱ କୁମ୍ଭୀର ବ୍ରଜଙ୍କୁ ନଛାଡ଼ିବାରୁ ଦୁହିଁଙ୍କ ଭିତରେ ଚାଲିଲା ଲଢ଼େଇ । ବ୍ରଜଙ୍କୁ କୁମ୍ଭୀର ନଈ ଭିତରକୁ ଟାଣି ନେବାକୁ ଲାଗିପଡ଼ିଥିବା ବେଳେ ବ୍ରଜ ତା’ ମୁହଁରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଚାଲିଥିଲେ । ବ୍ରଜଙ୍କର ବହୁ ସଂଘର୍ଷ ପରେ କୁମ୍ଭୀର ତାଙ୍କ ଗୋଡ଼କୁ ନଛାଡ଼ିବାରୁ ବ୍ରଜ କୁମ୍ଭୀର ମୁହଁକୁ ବିଧା ମାରିଥିଲେ । ଏହି ସମୟରେ କୁମ୍ଭୀର ବ୍ରଜଙ୍କ ଗୋଡ଼କୁ ଛାଡ଼ି ଦେଇ ତାଙ୍କ ହାତକୁ କାମୁଡ଼ି ଧରିଥିଲା । ହେଲେ ସୌଭାଗ୍ୟ କ୍ରମେ ବ୍ରଜଙ୍କ ଅନ୍ୟ ହାତର ଏକ ଆଙ୍ଗୁଠି କୁମ୍ଭୀର ଆଖିରେ ଗେଞ୍ଜି ହୋଇଯିବାରୁ କୁମ୍ଭୀର ବ୍ରଜଙ୍କୁ ଛାଡ଼ି ନଦୀ ଭିତରକୁ ପଳାଇ ଯାଇଥିଲା ।
ବ୍ରଜଙ୍କୁ କୁମ୍ଭୀର ଆକ୍ରମଣ କରିବା ସମୟରେ ସେ ଜୀବନ ବଞ୍ଚାଇବାକୁ ଖୁବ ଜୋରରେ ପାଟି କରିଥିଲେ । ହେଲେ ସେତେବେଳକୁ ଅନ୍ଧାର ହୋଇଯାଇଥିବାରୁ ନଦୀ ନିକଟରେ କେହି ନଥିଲେ । ତେଣୁ କେହି ତାଙ୍କୁ ସହାୟତା କରିବାକୁ ଆସିନଥିଲେ । କୁମ୍ଭୀର ବ୍ରଜଙ୍କୁ ଛାଡ଼ି ଦେବା ପରେ ସେ ଲହୁ ଲୁହାଣ ଅବସ୍ଥାରେ ନଦୀ କୁଳକୁ ଆସି ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ । ପରେ କିଛି ଲୋକ ନଦୀ କୂଳରେ ପହଞ୍ଚି ବ୍ରଜଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ କୁରୁତୁଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଏବେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଜିଲ୍ଲାର ନଦୀକୂଳିଆ ଗ୍ରାମମାନଙ୍କରେ ନିୟମିତ ଭାବେ ଏହିପରି ଭାବେ ବହୁ ପୁରୁଷ, ମହିଳା ଓ ନାବାଳକ, ନାବାଳିକା କୁମ୍ଭୀର ଆକ୍ରମଣର ଶିକାର ହୋଇ ନିୟମିତ ଭାବେ ମୃତାହତ ହେଉଛନ୍ତି । କେହି କେହି କୁମ୍ଭୀର ଦ୍ୱାରା ଆହତ ହୋଇ ବଞ୍ଚି ଯାଉଛନ୍ତି । ଅନେକ ସମୟରେ ଗୃହପାଳିତ ପଶୁମାନେ ନଦୀକୁ ପାଣିପିଇବାକୁ ଯାଇ କୁମ୍ଭୀର ଆକ୍ରମଣର ଶୀକାର ମଧ୍ୟ ହେଉଛନ୍ତି । ହେଲେ ଏଥିପ୍ରତି ବନ ବିଭାଗ ବେଫିକର ହୋଇ ବସି ରହିଛି । ନଦୀର ଘାଟଗୁଡ଼ିକରେ ବନ ବିଭାଗ ପକ୍ଷରୁ ତାରଜାଲି ଲଗାଯାଉ ନାହିଁ । ଫଳରେ ଲୋକେ ନଦୀଘାଟକୁ ଯାଇ କୁମ୍ଭୀର ମୁହଁରେ ପଡ଼ୁଛନ୍ତି । ଏହାର ତୁରନ୍ତ ବ୍ୟବସ୍ଥା କରାନଗଲେ ଭବିଷ୍ୟତରେ ଅନେକ ବ୍ରଜ କୁମ୍ଭୀରର ଯେ ଶିକାର ନହେବେ ତାହା କହି ହେବନାହିଁ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ବାସ କରୁଥିବା ଲୋକେ କେତେଦିନ ଏହି ଭଳି ଜୀବନ ମୃତ୍ୟୁର ଦୋଛକିରେ ରହିଥିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।