କଶ୍ମୀର ଓ ଲଦାଖରେ ଜମି କିଣିବା ସହଜ ନୁହେଁ: ସର୍ବନିମ୍ନ ୧୫ ବର୍ଷର ରହଣୀକୁ ବାଧ୍ୟ କରିବେ ସରକାର
ଭୁବନେଶ୍ଵର, (ଓଟି): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଏବଂ ଲଦାଖ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ବଢ଼ିଛି ସତ କିନ୍ତୁ ଭାରତର ଯେକୌଣସି ନାଗରିକ ଯେ ସେଠାରେ ସମାନ ଅଧିକାର ପାଇବ ତାହା ଠିକ୍ ନୁହେଁ। ଏପରିକି ଏବେ ଭରତ ଯେକୌଣସି ନାଗରିକ ସେଠାରେ ଜମି କିଣିପାରିବ ବା ଘର କରି ସେଠାରେ ଆବାସିକ ହୋଇପାରିବ ବୋଲି ଯାହା କୁହାଯାଉଥିଲା ତାହା ବି ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଜମ୍ମୁ-କଶ୍ମୀର ଓ ଲଦାଖରେ ସାଂସ୍କୃତିକ ଭିନ୍ନପଣକୁ ରକ୍ଷା କରିବାକୁ ଯାଇ ସରକାର ସେଠାରେ ପୁଣିଥରେ ପୂର୍ବ ଭଳି କଟକଣା ଜାରି କରିବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ଏ ବାବଦରେ କେନ୍ଦ୍ର ସରକାର ନିର୍ଦିଷ୍ଟ ଘୋଷଣା କରିବେ ବୋଲି ପ୍ରଧାନମନ୍ତ୍ରୀ ଦପ୍ତର ପକ୍ଷରୁ ଇଙ୍ଗିତ ମିଳିଛି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ପ୍ରଧାମନନ୍ତ୍ରୀଙ୍କ ଦପ୍ତରର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ କୌଣସି ବ୍ୟକ୍ତି ଜମି ବା ଘର କିଣିବାକୁ ହେଲେ ସେଠାରେ ଅତିକମ୍ରେ ୧୫ ବର୍ଷ ବସତି ସ୍ଥାପନ କରିଥିବା ବାଞ୍ଛନୀୟ ହେବ। ଏହା କେବଳ ଜମ୍ମ-କଶ୍ମୀରବାସୀଙ୍କ ସ୍ଵତନ୍ତ୍ରପଣକୁ ରକ୍ଷା କରିବା ଲାଗି ହୋଇଥିବା ଶ୍ରୀ ସିଂହ କହିଛନ୍ତି। ଏ ବାବଦରେ ସରକାର ନିଷ୍ପତ୍ତ ନେବେ। କିନ୍ତୁ ଯେଉଁମାନେ ଏଠଶରେ ଶିଳ୍ପାନୁଷ୍ଠାନ ବା ବାଣିଜ୍ୟ କେନ୍ଦ୍ର ବସାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଜମି କିଣିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଜମ୍ମୁ କଶ୍ମୀର ଓ ଲଦାଖରେ ଆବାସିକ ପ୍ରମାଣପତ୍ର ଲାଭ କରିଲେ ସେଠାରେ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ।