୧୦ଯୁବ ଲେଖକଙ୍କୁ ପେନ୍ଇନ୍ର ‘ୟଙ୍ଗ୍ ଅଥର-୨୦୧୯’ ସମ୍ମାନ
ଭୁବନେଶ୍ଵର, (ଓଟି): ପେନ୍ଇନ୍ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ୨୦୧୯ ବର୍ଷର ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଏଥିରେ ୭ ଜଣ ଓଡ଼ିଆ ଲେଖକ, ୨ଜଣ ଇଂରାଜୀ ଓ ଜଣେ ହିନ୍ଦି ଲେଖକଙ୍କୁ ସ୍ଥାନୀତ କରାଯାଇଛି। ଚଳିତମାସ ଶେଷ ସପ୍ତାହରେ ଏହି ୧୦ଜଣ ଲେଖକଙ୍କୁ ‘ବେନ୍ ଇନ୍ ୟଙ୍ଗ ଅଥର ଆୱାର୍ଡ଼-୨୦୧୯’ରେ ସମ୍ମାନିତ କରାଯିବ ବୋଲି ସଂସ୍ଥାର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରକାଶ କରିଛନ୍ତି।
ଏହି ସମସ୍ତ ଲେଖକଙ୍କ ବୟସ ୪୦ ବର୍ଷରୁ କମ୍। ଏବଂ ସେମାନଙ୍କ ପାଣ୍ଡୁଲିପିକୁ ପ୍ରକାଶନୀ ସଂସ୍ଥା ପକ୍ଷରୁ ଯୋଗ୍ୟ ବୋଲି ବଛାଯାଇଛି। ୨୦୨୦ ବର୍ଷରେ ଏହି ପାଣ୍ଡୁଲିପିକୁ ପୁସ୍ତକ ରୂପ ଦିଆଯିବ। ଯେଉଁ ୭ ଜଣ ଓଡ଼ଆ ଭାଷାର ଲେଖକଙ୍କୁ ଏହି ସମ୍ମାନ ପାଇଁ ବଛା ଯାଇଛି ସେମାନେ ହେଲେ ‘ରଜାଘର କଥା’ ପାଣ୍ଡୁଲିପି ପାଇଁ ହରିହର ପଣ୍ଡା, ‘ମହାସତୀ’ ପାଇଁ କୃପାସିନ୍ଧୁ ପ୍ରଧାନ, ‘ସବୁରାତି ତୁମ ପାଇଁ’ କବିତା ପାଇଁ କ୍ଷିରୋଦିନୀ ବେହେରା, ଅନ୍ଧାରର ଆରାଧନା ପାଇଁ ସ୍ଵରୂପ କୁମାର ନାୟକ, ମୁକ୍ତି ଅଭିଳାସ ପାଇଁ ଦଶରଥ ହେମ୍ବ୍ରମ, କାଶତଣ୍ଡି ପାଇଁ ଲୋକନାଥ ସାହୁ ଏବଂ ଗୀତିକବିତା ‘କେବେ ଶହେ କେବେ ଶୂନ’ ପାଇଁ ସୁବ୍ରତ ସ୍ଵାଇଁ।
ସେହିପରି ଇଂରାଜୀ ଭାଷାରେ ଲିଖିତ ‘ଦୋଜ୍ କ୍ରେଜୀ ସେଭେନ୍ ଇୟର୍ସ’ ପାଇଁ ସୁଭ୍ରାଂଶୁ ଶେଖର ଓଝା, ଦି’ ଅକ୍ଟା ହେଡ୍ରାଲ୍ ଭର୍ସେସ୍ ପାଇଁ ଅଭିଶେକ ପାଣି ଏବଂ ହିନ୍ଦି ଭାଷାରେ ଲିଖିତ କବିତା ପାଣ୍ଡୁଲିପି ରବ୍ତା ପାଇଁ ଗାୟତ୍ରୀ ମାବୁରୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ପ୍ରକାଶନୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀ ୮୦ରୁ ଅଧିକ ପାଣ୍ଡୁଲିପି ଭିତରୁ ଏହି ୧୦ଟିକୁ ମନୋନୀତ କରିଛନ୍ତି। ଏହି ୧୦ଟି ପାଣ୍ଡୁଲିପିକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ କରାଯିବ। କିନ୍ତୁ ଚଳିତ ମାସ ଶେଷ ସପ୍ତାହରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପୂବ;ବର୍ଷର ବଛା ଯାଇଥିବା ପାଣ୍ଡୁଲିପିର ପୁସ୍ତକ ଗୁଡ଼ିକୁ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି।