ଭୁବନେଶ୍ଵରରେ ହେବ ଇ-ଥାନା: ମୋବାଇଲ୍ ନମ୍ବର ଦେଇ ଦାଖଲ କରିପାରିବେ ଏତଲା
ଭୁବନେଶ୍ଵର, (ଓଟି): ପ୍ରଶାସନରେ ଢାଞ୍ଚାଗତ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଯାଇ ଭୁବନେଶ୍ଵର-କଟକ ପୁଲିସ କମିଶନରେଟ୍ ଖୁବ୍ ଶୀଘ୍ର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଏହି ପଦକ୍ଷେପ ବଳରେ ଭୁବନେଶ୍ଵରରେ ଏକ ଇ-ଥାନା ଖୋଲିବ। ଅର୍ଥାତ୍ ଏ ଥାନା ସମ୍ପୂଣ୍ଣ ଭାବେ ଭର୍ଚୁଆଲ୍ ହେବ। ନାଗରିକଙ୍କୁ ଆଉ ଏତଲା ଦାୟର କରିବାକୁ ଥାନା ଦୁଆରକୁ ଆସିବାକୁ ପଡ଼ିବ ନାହିଁ। କେବଳ ମୋବାଇଲ୍ ନମ୍ବର ମାଧ୍ୟମରେ ଅଭିଯୋଗକାରି ନିଜର ଅଭିଯୋଗକୁ ଏହି ଥାନାରେ ଦାଖଲ କରି ପୁଲିସର ଧ୍ୟାନ ଆକର୍ଷଣ କରିପାରିାବେ। ଖାଲି ସେତିକି ନୁହେଁ ଏତଲା ନକଲ ବି ପାଇପାରିବେ। ଏମିତି କିଛଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।
‘ମୋତେ କିଛି ବି ପଚାର’ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ଷଡ଼ଙ୍ଗୀ କହିଛନ୍ତି ପୁଲିସ କମିଶନରେଟ୍ ପକ୍ଷରୁ ଇ-ଥାନା ପାଇଁ ଆବଶ୍ୟକ ପଦକ୍ଷେପ ଶେଷ ହୋଇଛି। ସରକାରଙ୍କ ୫-ଟି ପଦକ୍ଷେପରେ ଏହି ପ୍ରସ୍ତାବ ଅନୁପ୍ରେରିତ ହୋଇଛି। ଆବଶ୍ୟକ ପଦକ୍ଷେପ ଲାଗି ଏହି ପ୍ରସ୍ତାବ ଏବେ ସରକାରଙ୍କ ପାଖକୁ ପଠାଯାଇଛି। ଯାହାର ଅନୁମୋଦନ ହେଲେ ଭୁବନେଶ୍ଵରରେ ଏହିଭଳି ଏକ ଥାନା ସୃଷ୍ଟି ହେବ।
ପ୍ରାରମ୍ଭିକ ଭାବେ ଏହି ଥାନାରେ କେବଳ ମୋବାଇଲ୍ ଓ ଗାଡ଼ି ଚୋରି ଏତଲା ଦାୟର କରାଯାଇପାରିବ। ଏତଲାକାରୀ ନିଜର ମୋବାଇଲ୍ ନମ୍ବର ଦେଇ ଏକ ଓଟିପି ପ୍ରାପ୍ତ କରିବେ। ଏହି ଓଟିପି ବା ପାସ୍ୱାର୍ଡ଼କୁ ବ୍ୟବହାର କରି ନିଜର ପରିଚୟ ଦେବେ। ଏହି ପରିଚୟ ଦ୍ଵାରା ଏତଲା ଦାୟର ହେବ। ସେହି ଅନୁସାରେ ଏତଲାକାରୀଙ୍କୁ ଏକ ସ୍ଵତନ୍ତ୍ର ୟୁଜର ଆଇଡି ଏବଂ ପାସ୍ୱାର୍ଡ଼ ଦିଆଯିବ। ସେହି ପାସ୍ୱାର୍ଡ ବ୍ୟବହାର କରି ଏତଲା କାରୀ ଏତଲାର ସ୍ଥିତି ବି ଜାଣିପାରିବେ।
ଏବେ ପୁଲିସ କମିଶନରେଟ୍ର ବିଭିନ୍ନ ଥାନାରେ ଦିନକୁ ଦିନ ମୋବାଇଲ୍ ଚୋରି ଓ କାଡ଼ି ଚୋରି ମାମଲା ବଢ଼ିବାକୁ ଲାଗୁଛି। ପୁଲିସ ଥାନାରେ ଏଥିଲାକି ଏତଲା ରଖାଯାଉ ନାହିଁ। କେବଳ ଏକ ଷ୍ଟେସନ୍ ଡାଏରୀ ରଖାଯାଉଛି। ଯେତେବେଳେ ଥାନା ଅଧିକାରୀମାନେ ନିଜ ଉପରୁ ମାମଲା ବୋଝ କମାଇବା ଲାଗି ଏପରି ପଦକ୍ଷେପ ନେଉଛନ୍ତି। ଯେତେବେଳେ ଇଥାନା କାର୍ଯ୍ୟକାରୀ ହେବ ସେତେବେ ଆଉ ଏ ନେଇ ନାଗରିକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଇ-ଥାନା ଲାଗି ଅବାଶ୍ୟକ ଭିତ୍ତି ବ୍ୟବସ୍ଥା ଏବଂ ସଫ୍ଟଓ୍ବେର ବ୍ୟବସ୍ଥା ଶେଷ ହୋଇଛଇ ବୋଲି ଡ. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।