ବିଜେପିର ଅଭିଯୋଗ: କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, (ଓଟି): ପୁଣିଥରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରିଛି ବିଜେପି। ବିଜୁ ପକ୍କା ଘର ଯୋଜନା ଆବଣ୍ଟନର ତଥ୍ୟକୁ ଉଲ୍ଲେଖ କରି ବିଜେପି ଉପସଭାପତି ସମୀର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ବ୍ୟବହାର କରୁଛନ୍ତି। ଏଥିରେ ଯେଉଁ ଟାଇଲ୍‌ ବ୍ୟବସ୍ଥା ପାଇଁ ନିକଟରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନିର୍ଦେଶ ଦେଇଛନ୍ତି ତାହା ସମ୍ପୂଣ୍ଣ ଭାବେ ଏକ ବିଭ୍ରାନ୍ତ ସୃଷ୍ଟିକାରୀ ପଦକ୍ଷେପ। ଏଣୁ ତୁରନ୍ତ ଏହି ନିର୍ଦେଶକୁ ବାତିଲ୍‌ କରିବା ପାଇଁ ସେ ଦାବି କରିଛନ୍ତି।

ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାଜପୁର ପିଡିଡିଆରଏଙ୍କ ବିଗତ ୯ ତାରିଖରେ   ବିଜୁ ପକ୍କା ଘର ଚିତ୍ର ପ୍ରସ୍ତୁତି ନିର୍ଦ୍ଦେଶକୁ ବାତିଲ କରିବା ସହ ଏହି ଅର୍ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚିତ୍ର ପ୍ରସ୍ତୁତ କରି ହିତାଧିକାରୀଙ୍କ ଘର ଉପରେ ଲଗାନ୍ତୁ।  ଜଣେ ସରକାରୀ କର୍ମଚାରୀକୁ ଯୋଜନାର ନାଁ ବଦଳାଇବାର ଅଧିକାର କିଏ ଦେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଗତ ୩ଟି ବଜେଟରେ ରାଜ୍ୟ ସରକାର ନିଜର ନିଜସ୍ୱ ଗରିବଙ୍କ ପାଇଁ ଉଦିଷ୍ଟ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନାହାନ୍ତି । ବିଜୁ ପକ୍କା ଘର ଟାଇଲ ନିର୍ମାଣ କରିବା ପାଇଁ ମଧ୍ୟ ବିଜୁ ପକ୍କା ଘର ବାବଦ ବଜେଟ ବ୍ୟୟବରାଦର ଅର୍ଥ ନିୟଂଟ ପଡିବ । ରାଜ୍ୟ ସରକାର ଚଂଚକତା କରି ଯୋଜନା ହଡପ ବନ୍ଦ କରନ୍ତୁ ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ଦେଇଥିବା ନିର୍ଦେଶନାମାକୁ ତୁରନ୍ତ ବାତିଲ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଚଳିତ ୨୦୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ୧ଲକ୍ଷ ୬୫ ହଜାର ବାସଗୃହ ମଧ୍ୟରୁ ଅଦ୍ୟାବିଧି ମାତ୍ର ୭୯ ହଜାର ବାସଗୃହ ନିର୍ମାଣ ସରିଥିବାବେଳେ ଆସନ୍ତା ୩ ମାସ ମଧ୍ୟରେ ଧାର୍ଯ ଲକ୍ଷ କେମିତି ପୂରଣ କରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ୨୦୨୨ ମସିହା ସୁଦ୍ଧା ଓଡିଶା ସମେତ ଦେଶର ପକ୍କା ଘର ନଥିବା ସବୁ ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏଥିପାଇଁ ମୋଦି ଓଡିଶାକୁ ପ୍ରଚୁର ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜ୍ୟ ସରକାରଙ୍କର କ୍ରିୟାନ୍ୱୟନ ପ୍ରକ୍ରିୟା ବିଳମ୍ବିତ ହେଉଛି ।
ରାଜ୍ୟ ସରକାରଙ୍କ ହିତାଧିକାରୀ ଚୟନ ପ୍ରକ୍ରିୟା ବିବାଦିତ ରହିଛି । ବିକାଶ ଶିଡିର ସବୁଠାରୁ ତଳ ପାହାଚରେ ଥିବା ବିଧବା, ମହିଳା, ଭୂମିହୀନ ତଥା ପରିବାରରେ ଦିବ୍ୟାଙ୍ଗ ପିଲା ଥିବା ଓ ସେହିପରି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାର ଲାଭ ବଦଳରେ ବିଜେଡିର ଥିଲାବାଲା ନେତା କର୍ମୀଙ୍କୁ ଏହି ଯୋଜନାର ଲାଭ ଦିଆଯାଉଛି ।
ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ମହାଙ୍ଗୀ ନିର୍ବାଚନ ମଣ୍ଡଳି ଠାରୁ ଓଡିଶାର ୩୦ ଜିଲ୍ଲାର ଏଭଳି ତଥ୍ୟ ସମ୍ବଳିତ ଦସ୍ତାବିଜ୍ ବାରମ୍ବାର ଉପସ୍ଥାପନ କଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ଗରିବ ବିରୋଧୀ ଓ ଦଳୀୟ ସ୍ୱାର୍ଥ ସାଧନକାରି ଆଭିମୁଖ୍ୟରେ ପରିବର୍ତନ ଆଣୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ସେହିପରି ଗତ ତିନୋଟି ବଜେଟରେ ଯାଜପୁର ଜିଲ୍ଲା ଓ ଜିଲ୍ଲା ହିସାବରେ ୩୦ଟି ଜିଲ୍ଲାରେ କେତେ ଟଙ୍କା ବ୍ୟୟବରାଦ ହୋଇଛି ଓ କେତେ ଟଙ୍କାର ଟାଇଲ୍ ଅର୍ଡର ଦିଆଯାଇଛି ଏହାର ହିସାବ ଦେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *