ବିଗବସ୍ ଘରୁ ବାହାରିଲେ ଦେବୋଲିନା
ଟେଲି ଦୁନିଆର ବିବାଦୀୟ ରିଏଲିଟି ଶୋ’ ‘ବିଗବସ୍ ୧୩’ରେ ଦିନକୁ ଦିନ ନୂଆ ନୂଆ ଟୁଇଷ୍ଟ୍ ଦର୍ଶକଙ୍କର ବେଶ୍ ମନୋରଞ୍ଜନ କରୁଛି । ଭାଇଜାନ୍ ହୋଷ୍ଟ୍ କରୁଥିବା ଏହି ଶୋ’ରୁ ଏବେ ଦେବୋଲିନା ଭଟ୍ଟାଚାର୍ଯ୍ୟ ବାହାରି ଯାଇଛନ୍ତି । ଏହା ପଛର କାରଣ ହେଉଛି ତାଙ୍କର ଅସୁସ୍ଥତା । ବିଗତ କିଛି ଦିନ ଧରି ସେ ଖୁବ୍ ଅସୁସ୍ଥ ଥିବାରୁ ଶୋ’ର ଟାକ୍ସ ମଧ୍ୟ ପୁରଣ କରିପାରୁନଥିଲେ । ତେଣୁ କିଛିଦିନ ପାଇଁ ତାଙ୍କୁ ଶୋ’ରୁ ବାହାର କରାଯାଇଛି ଏବଂ ସେ ହସ୍ପିଟାଲରେ ଅଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ସେ ବିଗବସ୍ ଘରେ ଏଣ୍ଟ୍ରୀ ନେବେ ବୋଲି ସୂଚନା ମିଳିଛି ।
ଦେବୋଲିନା ଶୋ’ରୁ ବାହାରିବା ପରେ ମେକର୍ସ ଘୋଷଣା କରିଛନ୍ତି ଯେ ଏହି ସପ୍ତାହରେ କୌଣସି ପ୍ରତିଯୋଗୀ ଏଲିମିନେଟ୍ ହେବେ ନାହିଁ । ବିଗ୍ ହାଉସରେ ରଶ୍ମୀ ଦେଶାଇ ଓ ଦେବୋଲିନାଙ୍କର ଫ୍ରେଣ୍ଡସିପର ବେଶ୍ ଚର୍ଚ୍ଚା ରହିଛି । ଅସୁସ୍ଥତା ସମୟରେ ସେ ଦେବୋଲିନାଙ୍କ ବହୁତ ଯତ୍ନ ନେଇଥିଲେ । ଗତ ସପ୍ତାହରେ ଭାଇଜାନ୍ ମଜାକରେ କହିଥିଲେ ଯେ ଆରତୀ ସିଂ ଓ ଦେବୋଲିନା ବିଗବସ୍ ଘରୁ ବିଦା ହେବାକୁ ଯାଉଛନ୍ତି । ଏହି କଥାରେ ରଶ୍ମୀ କାନ୍ଦି ପକାଇଥିଲେ । ଅଫସ୍କ୍ରୀନରେ ରଶ୍ମୀ ଓ ଦେବୋଲିନାଙ୍କର ଘନିଷ୍ଠ ବନ୍ଧୁତା ରହିଛି । ୨୦୧୭ରେ ଦେବୋଲିନାଙ୍କର ବ୍ୟାକ୍ ସର୍ଜରୀ କରାଯାଇଥିଲା । ତେଣୁ ଆଗାମୀ ଦିନରେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ବିଗବସ୍ ଘରକୁ ଆସିବା ପାଇଁ ଶୋ’ ଟିମ୍ ଶୁଭ ମନାସିଛନ୍ତି ।