ରିଭ୍ୟୁ: ‘କମାଣ୍ଡୋ ୩’ ଓ ‘ୟେ ସାଲି ଆଶିକି’
ଏଥର ଫ୍ରାଇଡେ’ ରିଲିଜରେ ଆସିଛି ୨ଟି ଫିଲ୍ମ । ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ‘କମାଣ୍ଡୋ ୩’ ଏବଂ ଚିରାଗ ରୁପରେଲଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଥ୍ରୀଲର୍ ‘ୟେ ସାଲି ଆଶିକି’ । ବିଦ୍ୟତ୍ଙ୍କ ଅଭିନୀତ ଫିଲ୍ମର ଅର୍ଥ ହେଉଛି ଭରପୁର ଆକ୍ସନ୍, ଯାହାକି ଏହି ଫିଲ୍ମର ମଧ୍ୟ ମୁଖ୍ୟ ଆକର୍ଷଣ ରହିଛି । ଫିଲ୍ମର କାହାଣୀ ଆତଙ୍କବାଦ ଉପରେ ଆଧାରିତ । କାହାଣୀରେ ଦେଖିବାକୁ ମିଳିଛି ଯେ ଆତଙ୍କବାଦୀମାନେ ଭାରତରେ ୯/୧୧ ଭଳି ଘଟଣାର ପୁନରାବୃତି କରିବାକୁ ଯାଉଛନ୍ତି ଏବଂ ବିଦ୍ୟୁତ୍ କିଭଳି ଭାବେ ଏହାକୁ ବିଫଳ କରୁଛନ୍ତି, ତାହାକୁ ନେଇ ଫିଲ୍ମ ଆଗକୁ ବଢ଼ିଛି । ତେବେ ମୋଟ ଉପରେ କହିବାକୁ ଗଲେ କାହାଣୀ ପୁରୁଣା ଲାଗୁଥିଲେ ମଧ୍ୟ ବିଦ୍ୟୁତଙ୍କ ଆକ୍ସନ୍ ଓ ଷ୍ଟଣ୍ଟସିନ୍ ଦର୍ଶକଙ୍କୁ କ୍ଲାଇମାକ୍ସ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସଫଳ ହୋଇଛି । ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଦା ଶର୍ମା ମୁଖ୍ୟ ନାୟିକା ଭାବେ ଅଛନ୍ତି । ତାଙ୍କର ଭୂମିକା କମିକ୍ ଭଳି ମନେହେଉଛି । ଗୁଲସନ୍ ଦେବୈୟା ଭିଲିଆନ୍ ଭାବେ ପରଦା ଉପରକୁ ଆସିଛନ୍ତି । କାହାଣୀରେ କୌଣସି ନୂତନତା ନଥିବାରୁ ଫିଲ୍ମ କ୍ରିଟିକସ ଓ ଦର୍ଶକଙ୍କ ପକ୍ଷରୁ ଫିଲ୍ମକୁ ୫ ଅଙ୍କରୁ ୩ଅଙ୍କ ମିଳିଛି ।
ଅନ୍ୟପକ୍ଷରେ ବର୍ଦ୍ଧନ୍ ପୁରି, ଶିବାଲିକା ଓବରୟ, ରୁସଲନ୍ ମୁମତାଜ୍ ଓ ଜୈସି ଲିବରଙ୍କ ଅଭିନୀତ ‘ୟେ ସାଲି ଆଶିକି’ର କାହାଣୀ ମଧ୍ୟ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିପାରିନାହିଁ । କଲେଜ୍ ସମୟର ଲଭ୍, ଧୋକା ଓ ଘୃଣା କିଭଳି ଭାବେ ଆଗାମୀ ଦିନରେ ପାଗଳାମୀ ଓ ପ୍ରତିଶୋଧର ରୁପ ନେଇଥାଏ, ତାହାକୁ ନେଇ କାହାଣୀ ଆଗକୁ ବଢ଼ିଛି । ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ହୋଇନଥିଲେ ମଧ୍ୟ ଚିରାଗଙ୍କ ନିର୍ଦ୍ଦେଶନା ଓ ସଙ୍ଗୀତକୁ ଦର୍ଶକ ବେଶ୍ ପ୍ରଶଂସା କରିଛନ୍ତି । ଏହି ଫିଲ୍ମକୁ ସମୀକ୍ଷକ ୫ରୁ ୩ ଅଙ୍କ ଦେଇଥିବାବେଳେ ଦର୍ଶକଙ୍କ ପକ୍ଷରୁ ୨ ଅଙ୍କ ମିଳିଛି ।