ପୁଣି ବିବାଦରେ ‘ପାନିପତ୍’, ୭ କୋଟି ମାଗିଲେ ରାଇଟର୍
ଆଶୁତୋଷ ଗୋୱାରିକରଙ୍କ ଆଗାମୀ ବିଗ୍ ବଜେଟ୍ ଐତିହାସିକ ଫିଲ୍ମ ‘ପାନିପତ୍’ର ବିବାଦ ଥମିବାର ନାଁ ଧରୁନି । ଫିଲ୍ମର ବିବାଦ ତାଲିକାରେ ଏବେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି । ଖବର ଆସିଛି ଯେ ଫିଲ୍ମ ପାଇଁ କାହାଣୀ ଚୋରି କରାଯାଇଛି । ତେଣୁ ମୂଳ ଲେଖକ ଫିଲ୍ମର ନିର୍ମାତାଙ୍କ ଠାରୁ ୭ କୋଟି ଟଙ୍କା କ୍ଷତିପୁରଣ ମାଗିଛନ୍ତି । ମହାରାଷ୍ଟ୍ରର ପ୍ରଖ୍ୟାତ ସାହିତ୍ୟକାର ବିଶ୍ୱାସ ପାଟିଲ୍ ଫିଲ୍ମର ନିର୍ମାତା ରୋହିତ ଶେଲାଟକର୍, ରିଲାଇନ୍ସ ଏଣ୍ଟରଟେନମେଣ୍ଟ ଓ ଆଶୁତୋଷଙ୍କ ବିରୁଦ୍ଧରେ କେସ୍ ଦାଏର୍ କରିଛନ୍ତି । ଏଭଳି କେସ୍ ଗୁଡ଼ିକୁ ‘କମରସିଆଲ୍ ଆଇପି ସୁଟ୍’ ବୋଲି କୁହାଯାଏ ।
ଏ ସମ୍ପର୍କରେ ବିଶ୍ୱାସ କହିଛନ୍ତି ଯେ – ‘ଗତ ବର୍ଷ ରୋହିତ୍ ଶେଲାଟକରଙ୍କ ପକ୍ଷରୁ ସଞ୍ଜୟ ପାଟିଲ୍ ମୋ ପାଖକୁ ଆସିଥିଲେ । ସେ ଏହି ଫିଲ୍ମର ସ୍କ୍ରିପ୍ଟ ରାଇଟର୍ ମଧ୍ୟ । ସେ ସେତେବେଳେ କହିଥିଲେ ଯେ ରାଇଟସକୁ ନେଇ ମୋ ନାଁ କନସିଡର୍ କରାଯିବ । ଆହୁରି ମଧ୍ୟ କହିଥିଲେ ଯେ ଫିଲ୍ମର କାହାଣୀ ନୋବେଲ୍ ଆଧାରରେ ନିର୍ମାଣ କରାଯିବ । ସେତେବେଳେ ମୁଁ ମୌଖିକ ଭାବେ ଅନୁମତି ଦେଇଥିଲି । ଏହାପରେ ସଞ୍ଜୟ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ । ୨୦୧୭ରେ ସ୍କ୍ରିପ୍ଟ ରିଡିଙ୍ଗ୍ କରାଯାଇଥିଲା । କିନ୍ତୁ ଫିଲ୍ମର ଟ୍ରେଲର୍ ଦେଖିବା ପରେ ମୁଁ ଜାଣିଲି ଯେ – କେବଳ କାହାଣୀ ଆଧାରରେ ନୁହେଁ, ନୋବେଲରେ ଲେଖାଯାଇଥିବା ପ୍ରତ୍ୟେକ ଡାଇଲଗ୍ ଓ ଦୃଶ୍ୟକୁ ଫିଲ୍ମରେ କପି କରାଯାଇଛି । ଏହାକୁ ନେଇ ମୁଁ କେସ୍ ଦାଏର୍ କରିଛି ଏବଂ ମୋର ଓକିଲ୍ ପକ୍ଷରୁ ୭ କୋଟି ଟଙ୍କା କ୍ଷତିପୁରଣ ଦାବି କରାଯାଇଛି’ । ତେବେ ଏ ସମ୍ପର୍କରେ ଫିଲ୍ମ ନିର୍ମାତା କିମ୍ବା ଆଶୁତୋଷଙ୍କ ପକ୍ଷରୁ କୌଣସି ପ୍ରତିକ୍ର୍ରିୟା ପ୍ରକାଶ ପାଇନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମର କାହାଣୀ ଚୋରି ହୋଇଥିବା ସମ୍ପର୍କିତ ଖବର ମନୋରଞ୍ଜନ ପୃଷ୍ଟା ମଣ୍ଡନ କରିଥିଲା ।