ପୁଣିଥରେ ଆସିବ ଋଷି-ନିତୁଙ୍କ ଯୋଡ଼ି
୭୦-୮୦ ଦଶକର ଚକୋଲେଟ୍ ହିରୋ ଋଷି କପୁର୍ ଓ ତାଙ୍କର ରିଏଲ୍ ଲାଇଫ୍ ହିରୋଇନ୍ ନିତୁଙ୍କ ଯୋଡ଼ି ପୁଣିଥରେ ବଡ଼ ପରଦାରେ ଧମାକେଦାର୍ ଏଣ୍ଟ୍ରୀ କରିବାକୁ ଯାଉଛି । ବିଗତ ୪ ବର୍ଷ ତଳେ ରିଲିଜ୍ ହୋଇଥିବା ବଙ୍ଗାଳୀ ଫିଲ୍ମ ‘ବେଲା ଶେଷେ’ର ହିନ୍ଦି ରିମେକରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ । ଏ ସମ୍ପର୍କରେ ଋଷି କହିଛନ୍ତି ଯେ ଫିଲ୍ମର କାହାଣୀ ବେଶ୍ ମନଛୁଆଁ । କାହାଣୀ ଅନୁଯାୟୀ ଜଣେ ବ୍ୟକ୍ତି ବିବାହର ୪୦ ବର୍ଷ ପରେ ଡିଭୋର୍ସ ଚାହୁଁଛି । ଏଭଳି ଏକ ନିଷ୍ପତ୍ତି ପଛରେ କ’ଣ କାରଣ ରହିଛି, ତାହାକୁ ନେଇ ଫିଲ୍ମ ଆଗକୁ ବଢ଼ିଛି । ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ।
୧୧ ମାସ ପରେ କ୍ୟାନ୍ସର୍ ଚିକିତ୍ସା କରାଇ ନ୍ୟୁୟର୍କରୁ ଫେରିଥିବା ଋଷି ଏବେ ତାଙ୍କର ଆଗାମୀ ଫିଲ୍ମର ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନ୍ୟୁୟର୍କ ଯିବା ପୂର୍ବରୁ ୠଷିଙ୍କୁ ଏହି ଫିଲ୍ମ ପାଇଁ ସାଇନ୍ କରାଯାଇଥିଲା । କିନ୍ତୁ ସେ ସାଇନିଙ୍ଗ୍ ଆମାଉଣ୍ଟ୍ ଫେରାଇ ଦେଇଥିଲେ । କିନ୍ତୁ ଫିଲ୍ମ ନିର୍ମାତା ଏହାକୁ ନେବାକୁ ରାଜି ହୋଇନଥିଲେ । ଭଗବାନଙ୍କ କୃପାରୁ ଋଷି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଆସିଛନ୍ତି ଏବଂ ସେ ପୁଣିଥରେ ପୂର୍ବଭଳି ବେଶ୍ ଜୋରସୋରରେ ସୁଟିଂରେ ଲାଗିପଡ଼ିବେ । ଋଷି ଓ ନିତୁଙ୍କ ଯୋଡ଼ି ଦର୍ଶକଙ୍କୁ ନିଶ୍ଚିତ ଭାବେ ଆକୃଷ୍ଟ କରିବ ବୋଲି ଫିଲ୍ମ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।