ଅଭୟ ହେଲେ ନୂଆ ଡିଜିପି, ବିଜୟଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ

ଭୁବନେଶ୍ଵର, (ଓଟି): ରାତାରାତି ରାଜ୍ୟ ପୁଲିସର ମୁଖିଆଙ୍କୁ ବଦଳାଇଛନ୍ତି ସରକାର। ଏବେକାର ଡିଜି ପୁଲିସ ଥିବା ବିଜୟ କୁମାର ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପ୍ୟୁଟେସନ୍‌ରେ ଥିବା ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ଖାଲି ସେତିକି ନୁହେଁ ଅଭୟ ଆସିବା ଯାଏ ବି ବିଜୟଙ୍କୁ ଡିଜିପି ପଦବୀରେ ରହିବା ସୁଯୋଗ ମିଳିପାରି ନାହିଁ। ତାଙ୍କ ଦାୟିତ୍ଵ ପୂର୍ବତନ ପୁଲିସ କମିଶନର ତଥା ଏବେକାର ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ବିଜୟଙ୍କ ହାତରେ ଏବେ କିଛି ବିଶେଷ ଦାୟିତ୍ଵ ରହି ନାହିଁ। ସେ ଗୃହ ବିଭାଗର ସ୍ଵତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଗୃହ ବିଭାଗ ବିଜ୍ଞପ୍ତିରେ କୁହାଯାଇଛି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଭୟଙ୍କୁ ରାଜ୍ୟ ଡିଜି ପୁଲିସ ଭାବେ ଦା୍ରିତ୍ଵ ଦିଆଯାଇଛି। ସେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌।  ଏବେ ନୂଆ ଦିଲ୍ଲୀରେ ପୁଲିସ ଏକାଡେମୀ ନିର୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି। ସେ ବିହାରର  ପୂର୍ବ ଚମ୍ପାରନ୍‌ ବାସିନ୍ଦା।

ଏହି ସୂଚନାରେ କୁହାଯାଇଛି ଯେ, ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ବିଭାଗ ଡିଜିପି ପଦବୀରେ ଅବସ୍ଥାପିତ କରାଯାଇଛି। ଶ୍ରୀ ଅଭୟ ଦାୟିତ୍ଵ ଗ୍ରହଣ ନକରିବା ଯାଏ ସେ ଡିଜିପି ଦାୟିତ୍ଵରେ ରହିବେ। ସେହିପରି ଅଗ୍ନିଶମ ଏବଂ ହୋମ୍‌ ଗାର୍ଡ଼ ଡିଜି ଭାବେ ସୁନିଲ୍‌ ରାୟଙ୍କୁ ଅବସ୍ଥାପିତ କରାଯାଇଛି। 

Leave a Reply

Your email address will not be published.