ନାଳ ଉପରେ ଥିବା ଘର କିଣିବେ ସରକାର
ଭୁବନେଶ୍ଵର, (ଓଟି): ରାଜଧାନୀ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ। ଏଥିନେଇ ଆବଶ୍ୟକ ସର୍ବେକ୍ଷଣ ଜାରି କରାଯାଉଛି। ସରକାରୀ ସୂତ୍ରରୁ ଜଣାଯାଇଛି ଯେ, ରାଜଧାନୀର ପ୍ରତିଟି ପ୍ରାକୃତିକ ନାଳ ପ୍ରଥମେ ସର୍ବେକ୍ଷଣ କରାଯିବ। ଆଉ ଏହି ନାଳ ଉପରେ ସୃଷ୍ଟି ହୋଇଥିବା ଜନ ବସତିକୁ ହଟାଯିବ। ସେହିଠାରେ ଜମି କିଣିଥିବା ବ୍ୟକ୍ତି ତଥା ଯାହାର ପଟ୍ଟା ରହିଛି ସେମାନଙ୍କଠାରୁ ସରକାର ଜମି କିଣିବେ।
ଏହି କ୍ରମରେ ପ୍ରାକୃତିକ ନାଳ ସଂଖ୍ୟା ୨, ୩, ୪, ୫ ଏବଂ ୬ ଏହି ଭଳି ୫ଟି ନାଳରେ ସର୍ବେକ୍ଷଣ ଶେଷ ହୋଇଛି। ଖୁବ୍ ଶୀଘ୍ର ଜମି କିଣା ଆରମ୍ଭ ହେବ। ଆଉ ୭, ୮, ୯ ଏବଂ ୧୦ ପ୍ରଭୃତି ୪ଟି ନାଳରେ ଜବର ଦଖଲ ଓ ନିର୍ମାଣ ବାବଦରେ ସର୍ବେକ୍ଷଣ କରାଯିବାକୁ ସ୍ଥିର ହୋଇଥିବା ନଗର ଉନ୍ନୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି
ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ବର୍ଷାଜନ ନିଷ୍କାସନ ନିମନ୍ତେ ୧୦ଟି ପ୍ରାକୃତିକ ନାଳ ଓ ୩ଟି ଶାଖାନାଳ ରହିଛି। କିନ୍ତୁ ବିଭିନ୍ନ ସ୍ଥାନରେ ଏହି ନାଳ ଗୁଡ଼ିକ ଉପରେ ଲୋକେ ଘର କରି ରହିଛନ୍ତି ବା ଏହାକୁ ଅବରୋଧ କରି ପାଚେରୀ ନିର୍ମାଣ କରିଛନ୍ତି। ଏହାର ପ୍ରତିକାର ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ ହୋଇଛି। ସ୍ଥାନାନ୍ତର ଯୋଗ୍ୟ ବିକାଶ ଅଧିକାର ଆଇନ-୨୦୧୫ ଅନୁସାରେ ବିଏମ୍ସି ସିଧାସଳଖ ଜମି କିଣିବା କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।