ରିଭ୍ୟୁ: ‘ମରଜାୱାଁ’
ଏଥର ଫ୍ରାଇଡେ’ ରିଲିଜ୍ରେ ସିନେମାଘରକୁ ଆସିଛି ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ ‘ମରଜାୱା’ । ମିଲାପ୍ ଜାଭେରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରିତେଶ୍ ଦେଶମୁଖ୍, ସିଦ୍ଧାର୍ଥ ମାଲହୋତ୍ରା ଓ ତାରା ସୁତାରିୟା ମୁଖ୍ୟ ଭୂମିକାରେ ଅଛନ୍ତି । ପ୍ରେମ ଓ ପ୍ରତିଶୋଧର କହାଣୀକୁ ନେଇ ଫିଲ୍ମ ଆଗକୁ ବଢ଼ିଛି । ସଂକ୍ଷେପରେ ଫିଲ୍ମର କାହାଣୀ କହିବାକୁ ଗଲେ ଘଟଣା କ୍ରମରେ ନାୟିକାଙ୍କୁ ମାରି ଦିଆଯାଉଛି ଏବଂ ତାହାର ପ୍ରତିଶୋଧ ନେଉଛନ୍ତି ନାୟକ । ତେବେ କିଭଳି ଭାବେ ସେ ପ୍ରତିଶୋଧ ନେଉଛନ୍ତି ଏବଂ ପରେ କାହାଣୀରେ କ’ଣ ସବୁ ମୋଡ଼ ଆସୁଛି, ତାହା ହିଁ ଦର୍ଶକ ଦେଖିବାକୁ ପାଇବେ ।
କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲେ ମଧ୍ୟ ‘ମେ ମାରୁଙ୍ଗା ମର୍ ଜାୟେଗା, ଦୁବାରା ଜନ୍ମ ଲେନେ ସେ ବଚ୍ ଜାୟେଗା’ ଏବଂ ‘ମେ ବଦଲା ନେହିଁ ଇନ୍ତକାମ୍ ଲୁଙ୍ଗା’ ଭଳି ଆଉ କିଛି ସଂଳାପ ଫିଲ୍ମର ବିଫଳତାକୁ ଦର୍ଶାଇଛି ବୋଲି ଚର୍ଚ୍ଚା ହେଉଛି । ଆକ୍ସନ୍ ଦୃଶ୍ୟଗୁଡ଼ିକ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିପାରିନାହିଁ । ଫିଲ୍ମର ମ୍ୟୁଜିକକୁ ଦର୍ଶକ ପସନ୍ଦ କରିଥିଲେ ମଧ୍ୟ ୧୩୬ ମିନିଟ୍ ଅବଧି ବିଶିଷ୍ଟ ଏହି ଫିଲ୍ମର କାହାଣୀକୁ ଫିଲ୍ମ ସମୀକ୍ଷକ ମହଲରେ ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ । ନିଖିଲ୍ ଆଡଭାନି, ଦିବ୍ୟା ଖୋସଲା କୁମାର, ଭୂଷଣ କୁମାର ଓ କୃଷ୍ଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ସମୀକ୍ଷକମାନେ ୫ ଅଙ୍କରୁ କେବଳ ୨ ଅଙ୍କ ଦେଇଛନ୍ତି । ଦର୍ଶକ ଓ ସିନେ ସମୀକ୍ଷକଙ୍କ ପ୍ରତିକ୍ରିୟା ଦେଖିବା ପରେ ବକ୍ସ ଅଫିସରେ ମଧ୍ୟ ଏହାର ବ୍ୟବସାୟ ଭଲ ରହିବ ନାହିଁ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶଙ୍କା କରାଯାଉଛି ।