ରୋଷେଇ – ଆଳୁ ପୁର ଦିଆ ପୋଟଳ ଭଜା
ଆବଶ୍ୟକୀୟ ଜିନିଷ – ୧୦ଟି କଷି ପୋଟଳ, ୩ଟି ସିଝା ଆଳୁ, ଗୋଟିଏ କଂଚା ଲଙ୍କା, ଅଧା କପ୍ ଧନିଆ ପତ୍ର, ବେସନ ୨ ଚାମଚ, ଚାଟ୍ ମସଲା,୧ ଚାମଚ ଜିରା, ୧ ଚାମଚ ଜିରା ଲଙ୍କା ଗୁଣ୍ଡ, ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଟଳକୁ ଧୋଇ ଚୋପା ଛଡ଼ାଇ ରଖନ୍ତୁ । ଏହାପରେ ପୋଟଳକୁ ଲମ୍ବ ଭାବରେ ଦୁଇଫାଳ କରି କାଟି ଭିତରୁ ମଂଜି ଅଂଶକୁ ବାହାର କରି ନିଅନ୍ତୁ । ଏହାକୁ ଅଳ୍ପ ଲୁଣ ଓ ହଳଦୀ ଗୋଳାଇ କିଛି ସମୟ ରଖିଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ବେସନ ପକାନ୍ତୁ । ବିନା ତେଲରେ ହିଁ ବେସନକୁ ଭାଜିବେ । ତାହାକୁ ଏକ ଥାଳିରେ ବାହାର କରି ରଖନ୍ତୁ । ସେହି ପ୍ୟାନରେ ୨ ଚାମଚ ତେଲ ଦେଇ ଗରମ କରନ୍ତୁ । ସେଥିରେ ଜିରା ଓ କଂଚା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ । ବାହାର କରି ରଖିଥିବା ପୋଟଳ ମଞ୍ଜିକୁ ପକାଇ କିଛି ସମୟ ଚଲାନ୍ତୁ । ଏହାପରେ ଆଳୁକୁ ଭଲ ଭାବେ ଚକଟି ସେଥିରେ ପକାନ୍ତୁ । ଏହାକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜିନିଅନ୍ତୁ । ଏହାପରେ ଜିରା ଲଙ୍କା ଗୁଣ୍ଢ, ଲୁଣ, ହଳଦୀ, ଧନିଆ ପତ୍ର, ଅଳ୍ପ ଚାଟ୍ ମସଲା ଓ ୨ ଚାମଚ ବେସନ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ପ୍ୟାନକୁ ଗ୍ୟାସରୁ ଓହ୍ଲାଇ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଏହାପରେ ପୋଟଳ ଭିତରେ ଆଳୁର ପୁରକୁ ରଖି ହାଲକା ଦବାଇ ଦିଅନ୍ତୁ । ଗୋଟିଏ ପ୍ୟାନ୍ ବସାଇ ଅଳ୍ପ ତେଲ ଦିଅନ୍ତୁ । ତେଲ ଗରମ ହେବା ସବୁ ପୋଟଳକୁ ପକାଇ ଘୋଡ଼ଣୀ ଦେଇ ଲୋ ଆଂଚରେ ୫-୧୦ ମିନିଟ୍ କୁକ୍ କରନ୍ତୁ । ଏହାପରେ ଘୋଡ଼ଣୀ ଖୋଲି ପୋଟଳକୁ ଓଲଟାଇ ଦିଅନ୍ତୁ । ପୋଟଳର ଦୁଇପଟ ଲାଲ୍ ହେବା ପର୍ଯ୍ୟନ୍ତ ଭାଜିବା ପରେ ପ୍ୟାନକୁ ଓହ୍ଲାଇ ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଆଳୁ ପୁର ଦିଆ ପୋଟଳ ଭଜା । ବିନା ପିଆଜ ରସୁଣରେ ପ୍ରସ୍ତୁତ ହେଉଥିବା ଏହି ରେସିପିକୁ ଆପଣ ଓଷାରେ ମଧ୍ୟ ଖାଇପାରିବେ ।