ରୋଷେଇ – ଅମୃତଭଣ୍ଡା ଭର୍ତ୍ତା
ଆବଶ୍ୟକୀୟ ଜିନିଷ – ଗୋଟିଏ ଛୋଟ ସାଇଜର୍ ଅମୃତ ଭଣ୍ଡା, ଗୋଟିଏ ବଡ଼ ଆଳୁ, ୨ଟି ବଡ଼ ପିଆଜ, ହଳଦୀ ଅଧା ଚାମଚ, ୨ଟି ଟମାଟ, ଗୋଟିଏ କଂଚା ଲଙ୍କା, କିଛି ରସୁଣ କୋଲା, ଗୋଟିଏ ଚାମଚ ଜିରା, ସୋରିଷ ଅଧା ଚାମଚ, ଜିରାଲଙ୍କା ଗୁଣ୍ଡ ଅଧା ଚାମଚ, ସୋରିଷ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭଣ୍ଡା ଓ ଆଳୁକୁ ଧୋଇ ଚୋପା ଛଡ଼ାଇ ରଖନ୍ତୁ । ଏହାପରେ କୁକରରେ ପାଣି, ଅଧା ଚାମଚ ଲୁଣ ଓ ହଳଦୀଗୁଣ୍ଡ ଦେଇ ଭଣ୍ଡା ଓ ଆଳୁକୁ ପକାଇ ୨ଟି ସିଟି ପର୍ଯ୍ୟନ୍ତ ସିଝାଇ ନିଅନ୍ତୁ । ଏହାକୁ ଗୋଟିଏ ଥାଳିରେ ବାହାର କରିଦିଅନ୍ତୁ । ଥଣ୍ଡା ହେବା ପରେ ତାହାକୁ ଚକଟି ଦିଅନ୍ତୁ । ଗୋଟିଏ କରେଇ ବସାଇ ଗୋଟିଏ ଚାମଚ ସୋରିଷ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଜିରା ଓ ସୋରିଷ ପକାଇ ଫୁଟାନ୍ତୁ । କଂଚା ଲଙ୍କା ଓ ରସୁଣ କୋଲାଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ପକାନ୍ତୁ । ଏହାକୁ ହାଲକା ଭାଜିବା ପରେ ପିଆଜ ପକାନ୍ତୁ । ପିଆଜ ଲାଲ୍ ହୋଇ ଭାଜି ହୋଇଯିବା ପରେ ଟମାଟ ପକାନ୍ତୁ । ଟମାଟ ଭଲ ଭାବେ ସିଝିବା ପରେ ଅମୃତ ଭଣ୍ଡା ଓ ଆଳୁ ଚକଟାକୁ ପକାନ୍ତୁ । ଆଉ ଅଳ୍ପ ଲୁଣ ଦେଇ ପାଣି ଶୁଖିବା ପର୍ଯ୍ୟନ୍ତ ଏହାକୁ ଚଲାନ୍ତୁ । ପାଣି ପୁରା ଶୁଖିବା ପରେ ସେଥିରେ ଜିରାଲଙ୍କା ଗୁଣ୍ଡ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅମୃତଭଣ୍ଡା ଭର୍ତ୍ତା । ଏହାକୁ ଗରମ ଭାତ କିମ୍ବା ପରଟା ସହିତ ମଧ୍ୟ ଖାଇପାରିବେ ।