ବାଂଲାଦେଶ ମୁହାଁ ବାତ୍ୟା, ଓଡ଼ିଶାରେ ବର୍ଷା, ପବନ
ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଗତି କରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ବାଂଲାଦେଶ ଯିବ। ସେହିଠାରେ ୧୦ ତାରିଖରୁ ୧୧ ତାରିଖ ଭିତରେ ଅବପାତ ହେବ। ଓଡ଼ିଶା ଉପକୂଳ ଛୁଇଁବା ଆଶଙ୍କା ନଥିବାରୁ ଭୟ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ବାତ୍ୟାର ଗତି ବାବଦରେ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେପନା କହିଛନ୍ତି, ୮ ତାରିଖ ସନ୍ଧ୍ୟା ବେଳଠୁ ଓଡ଼ିଶା ଉପକୂଳ ପାଖାପାଖି ବାତ୍ୟାର କେନ୍ଦ୍ରବିନ୍ଦୁ ଗତି କରିବା ଆରମ୍ଭ କରିବ। ଏହିଦିନ ସନ୍ଦ୍ୟା ୫ଟା ବେଳକୁ ଗୋପାଳପୁରଠାରୁ ୫୦୦ କିଲୋମିଟର ଦୂରରେ ବିତ୍ୟାର କେନ୍ଦ୍ରବିନ୍ଦୁ ରହିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିପାରେ। ଏହି ପ୍ରଭାବ ୩ ଦିନ ଧରି ଜାରି ରହିବ। ୧୦ ତାରିଖ ସନ୍ଧ୍ୟାଠୁ ୧୧ତାରିଖ ସକାଳ ଭିତରେ ବାତ୍ୟା ଭୂପୃଷ୍ଠ ଛୁଇଁ ଦୁର୍ବଳ ହେବ।
ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫସଲର କିପର ଯତ୍ନ ନିଆଯିବ ସେ ସମ୍ବନ୍ଧରେ ଆବଶ୍ୟକ ସୂଚନା କୃଷି ବିଭାଗ ଜିଲ୍ଲା ପ୍ରଶାସନ ସହାୟତାରେ ଜାରି କରହିଛନ୍ତି। ଠିକ୍ ସେହିପରି ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି।