ହାତ ଟେକିଦେଲା ବିଜେଡି: ପ୍ରମୋଦଙ୍କ ସହ ସମ୍ପର୍କ ନାହିଁ
ଭୁବନେଶ୍ଵର, (ଓଟି): ଛାତ୍ର ଜୀବନରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିବା ପ୍ରମୋଦ କୁମାର ସାହୁଙ୍କୁ ନିଜର ସଦସ୍ୟ ବୋଲି ଗ୍ରହଣ କରିବାକୁ ନାରାଜ ପ୍ରକାଶ କରିଛି ବିଜେଡି। ଏକ ପ୍ରେସ୍ ବାର୍ତ୍ତାରେ ଦଳ ପକ୍ଷରୁ କୁହାଯାଇଛି ଯେ, ପ୍ରମୋଦ ବିଜେଡିର ସଦସ୍ୟ ପଦରୁ ବହୁ ଦିନ ହେଲା ଇସ୍ତଫା ଦେଇଛନ୍ତି। ତାଙ୍କର ଦଳ ସହ କୌଣସି ସମ୍ପର୍କ ନାହିଁ।
କେନ୍ଦ୍ରାପଡ଼ା ସମବାୟ ବ୍ୟାଙ୍କ ଦୁର୍ନୀତି ତଥା ଯୌନ କେଳଙ୍କାରୀ ଅଭିଯୋଗରେ ଗିରଫ ହୋଇଥିବା ପ୍ରମୋଦଙ୍କ ପ୍ରତି ଏହିପରି ଆଭିମୁଖ୍ୟ ପ୍ରଦର୍ଶନ କରିଛି ଦଳ। ତିନିଧାଡ଼ିର ଏକ ପ୍ରେସ୍ ବାର୍ତ୍ତାରେ ଦଳ ପକ୍ଷରୁ ମୁଖପାତ୍ର ଲେନିନ୍ ମହାନ୍ତି କୌଣସି ବି ସ୍ଥାରେ ଉଲ୍ଲେଖ କରି ନାହାନ୍ତି ଯେଳ ପ୍ରମୋଦ କେବେ ତାଙ୍କ ଦଳରୁ ଇସ୍ତଫା ଦେଲେ ଏବଂ କେବେ ତାଙ୍କ ଇସ୍ତଫା ପତ୍ରକୁ ଦଳ ଗ୍ରହଣ କଲା।
ପ୍ରମୋଦ ଏହା ପୂର୍ବରୁ ଦଳର ସମ୍ପାଦକ ପଦବୀ ଧାରଣ କରିଥିଲେ। ଏହି ପ୍ରଭାବରେ ସେ କେନ୍ଦ୍ରାପଡ଼ା ସମବାୟର ସଭାପତି ପଦ ଅଳଙ୍କୃତ କରିପାରିଥିଲେ। ତାଙ୍କରି ରାଜନୀତିକ ପ୍ରଭାବ ହେତୁ ସେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇପାରିଥିଲେ। ଏସବୁ ବେଳେ ଦଳ କେବେ ତାଙ୍କ ଉପରୁ ହାତ ଟେକି ନଥିଲା। ଅର୍ଥାତ୍ ଭାବମୂର୍ତ୍ତିକୁ ବଞ୍ଚାଇବା ଲାଗି ବିଜେଡି ପକ୍ଷରୁ ଏପରି ଏକ ବାର୍ତ୍ତା ପ୍ରେରଣ କରାଯାଇଥିବା ସ୍ପଷ୍ଟ ହୋଇଛି।