ଫୋନି ସହାୟତା: ସରକାର ଜନ୍ମାଉଛନ୍ତି କୃତ୍ରିମ ହିତାଧିକାରୀ
ଭୁବନେଶ୍ୱର, (ଓଟି): ରାଜ୍ୟ ସରକାର କୃତ୍ରିମ ହିତାଧିକାରୀ ଜନ୍ମ କରୁଛନ୍ତି । ଯେଉଁମାନେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ସେମାନେ ବାଦ୍ ପଡ଼ୁଛନ୍ତି । ସାମୁଦ୍ରିକ ଝଡ଼ ‘ଫୋନି’ ରେ କ୍ଷତିଗ୍ରସ୍ତ ହୋଇଥିବା ୧୪ ଜିଲ୍ଲାରେ ଏପରି ବ୍ୟତିକ୍ରମ ହୋଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ବିଜେପି ଦର୍ଶାଇଛି ଯେ, ଫୋନିି ବାତ୍ୟା ଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁ୍ଯାୟୀ ପୂର୍ଣ୍ଣ, ଗୁରୁତର ଓ ଆଂଶିକ ୩ ପ୍ରକାର ଭାବେ ପ୍ରସ୍ତୁତ ହୋଇଥିବା ଘର ଭଙ୍ଗା ସଂଖ୍ୟା ୩ ଲକ୍ଷ ୮୯ ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଅଛି । ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣରୁ ବଂଚିତ କରାଯାଇ ଶାସକ ଦଳ ଦଳୀୟ ଭିତିରେ ଘର ଭାଙ୍ଗି ନଥିବା ଲୋକଙ୍କୁ ତାଲିକାଭୁକ୍ତ କରାଯାଇଛି । ଗତ ଫୋନି ବାତ୍ୟାରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ କେନ୍ଦ୍ର ସରକାର ସହଯୋଗ କରିଥିଲେ । ପୂର୍ବରୁ ଏବଂ ପରେ ୩ଟି ପର୍ଯ୍ୟାୟରେ ସମୁଦାୟ ୩ହଜାର ୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି । ମାତ୍ର ରାଜ୍ୟସରକାର ତାଲିକାକୁ ବଢେଇ ଦଳୀୟ ଭିତିରେ ସହାୟତା ଟଙ୍କାକୁ ବାଂଟି ଦେଇ ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାରୁ ବଂଚିତ କରିଛନ୍ତି । ସେହିପରି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ନିର୍ମାଣ ହେବାକୁ ଥିବା ୧୨ ଲକ୍ଷ ୭୫ ହଜାର ପକ୍କାଘରରେ ଅଛନ୍ତି ୮୫% ଅଯୋଗ୍ୟ ହିତାଧିକାରି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଫୋନି ସହାୟତା ଘର ଯୋଗାଇ ଦେବାରେ ରାଜ୍ୟସରକାର କରିଥିବା ବ୍ୟାପକ ଜାଲିଆତି ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଉପସଭାପତି ନୟନ ମହାନ୍ତି ଓ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳର ଜିଲ୍ଲାର ଜିଲ୍ଲା ସଭାପତି ଏବଂ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।