ପ୍ରଥମ ଥର ପାଇଁ ଅଡିସନ୍ ଦେଲେ କରିନା
ଜିରୋ ଫିଗର୍ ଅଭିନେତ୍ରୀ ଭାବେ କରିନା କପୁର୍ ଖାନ୍ ସିନେ ମହଲରେ ବେଶ୍ ନାଁ କମାଇଛନ୍ତି । ସୌନ୍ଦର୍ଯ୍ୟ ସହିତ ଦକ୍ଷ ଅଭିନୟ ତାଙ୍କର ପରିଚୟ ପାଲଟିଛି । ୧୯ ବର୍ଷର ଫିଲ୍ମ କ୍ୟାରିୟର୍ ମଧ୍ୟରେ କରିନା ପ୍ରଥମ ଥର ପାଇଁ ଅଡିସନ୍ ଦେଇଛନ୍ତି । କରିନାଙ୍କ ଡେବ୍ୟୁ ଫିଲ୍ମ ‘ରେଫ୍ୟୁଜି’ରେ ମଧ୍ୟ ସେ ଅଡିସନ୍ ଦେଇନଥିଲେ । କେବଳ ଏତିକି ନୁହେଁ ଏହି ଫିଲ୍ମ ପାଇଁ ତାଙ୍କୁ ‘ବେଷ୍ଟ୍ ଡେବ୍ୟୁ ଫିମେଲ୍’ର ଆୱାର୍ଡ଼ ମଧ୍ୟ ମିଳିଥିଲା । କିନ୍ତୁ ଏବେ ସେ ନବାଗତା କିମ୍ବା ସଂଘର୍ଷ କରୁଥିବା କଳାକାର ଭାବେ ଅଡିସନ୍ ଦେଇ ଚର୍ଚ୍ଚାରେ ଅଛନ୍ତି । ଏହା ସହିତ ଆଉ ଏକ ରୋଚକ ଖବର ହେଉଛି ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଅମୀର୍ କରିନାଙ୍କ ଅଡିସନ୍ ନେଇଥିଲେ । କରିନାଙ୍କ ସହିତ ଅମୀର୍ ‘ଥ୍ରୀ ଇଡିଅର୍ଟସ୍’ ଓ ‘ତଲାସ୍’ ଭଳି ବ୍ଲକବଷ୍ଟର୍ ଫିଲ୍ମରେ ସ୍କ୍ରିନ୍ ସେୟାର୍ କରିସାରିବା ପରେ ମଧ୍ୟ କରିନାଙ୍କ ଅଭିନୟ ଦକ୍ଷତାକୁ ସେ ପୁଣିଥରେ ପରଖିବା ନେଇ ଏବେ ସିନେ ମହଲରେ ପ୍ରଶ୍ନ ଉଠିଛି ।
ଏକ ମିଡିଆ ସାକ୍ଷାତକାରରେ କରିନା ଅଡିସନ୍ ସମ୍ପର୍କିତ ଖବର ସେୟାର୍ କରିଥିଲେ । ବି ଟାଉନର ଆଗାମୀ ଫିଲ୍ମ ଲାଲ୍ ସିଂଙ୍କ ଚଡ୍ଡା ପାଇଁ ସେ ଅଡିସନ୍ ଦେଇଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଅମୀର୍ ସ୍ୱଚକ୍ଷୁରେ କରିନାଙ୍କ ଅଭିନୟ ଦକ୍ଷତା ଦେଖିବା ପରେ ହିଁ ଫିଲ୍ମରେ ତାଙ୍କୁ ସାଇନ୍ କରିବା ପାଇଁ ଯୋଜନା ରଖିଥିଲେ । ତେଣୁ କରିନାଙ୍କୁ ଅଡିସନ୍ ଦେବାକୁ ପଡ଼ିଥିଲା । ୩୯ ବର୍ଷୀୟା କରିନା ଏହି ଅଡିସନକୁ ନେଇ ବେଶ୍ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । କହିରଖୁଛୁ ୧୯୯୪ରେ ରିଲିଜ୍ ହୋଇଥିବା ଆମେରିକାନ୍ କମେଡ଼ି ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍ ଭାବେ ‘ଲାଲ୍ ସିଂ ଚଡ୍ଡା’ ଦର୍ଶକଙ୍କ ସାମନାକୁ ଆସିବ ।